ଜୟପୁର: ସୀମା ହୈଦର ଓ ଅଞ୍ଜୁ ଥୋମାସଙ୍କ ସୀମା ପାର ପ୍ରେମକୁ ନେଇ ଉଭୟ ଦେଶରେ ବେଶ ଚର୍ଚ୍ଚା ହେଉଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ରାଜସ୍ଥାନର ଜଣେ ଆଡଭୋକେଟ ଭର୍ଚ୍ଚୁଆଲରେ ପାକ୍ ଯୁବତୀଙ୍କୁ ବିବାହ କରିଛନ୍ତି । ପାକ୍ ଯୁବତୀଙ୍କୁ ଭିସା ମିଳିବାରେ ବିଳମ୍ବ ହେବାରୁ ରାଜସ୍ଥାନର ଆଇନଜୀବୀ ଜଣକ ଶେଷରେ ଭିଡିଓ କଲ ମାଧ୍ୟମରେ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ କରିଥିବା ଜଣାପଡ଼ିଛି ।
ଏହି ଆଇନଜୀବୀ ହେଉଛନ୍ତି ରାଜସ୍ଥାନ ଯୋଧପୁର ଅଞ୍ଚଳର ମହମ୍ମଦ ଅର୍ବାଜ । ସେ ପାକିସ୍ତାନ କରାଚିର ଅମିନାଙ୍କୁ ଗତ ସପ୍ତାହ ତଳେ ବିବାହ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଇସଲାମିକ ଧର୍ମ ଅନୁସାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ବର ଓ କନ୍ୟା ନିଜ ନିଜ ଘରେ ପରଦା ପଛରେ ବସିଥିବା ବେଳେ କାଜି ମଧ୍ୟ ଉପସ୍ଥିତ ରହିଥିଲେ । ଇସ୍ଲାମିକ ପରମ୍ପରା ଅନୁଯାୟୀ ଉଭୟ ବିବାହ କରିଥିଲେ । ଉଭୟଙ୍କ ବିବାହ ପ୍ରାୟ ମାସେ ପୂର୍ବରୁ ସ୍ଥିର ହୋଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- WATCH VIDEO: ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ବନିଲେ ଫାତିମା, ସାମ୍ନାକୁ ଆସିଲା ଭିଡିଓ
କନ୍ୟା ପକ୍ଷକୁ ଭିସା ମିଳିବାରେ ବିଳମ୍ବ ହୋଇଥିଲା । ବିବାହ ସମୟ ପାଖେଇ ଆସୁଥିବାରୁ ଉଭୟ ପକ୍ଷ ଶେଷରେ ଅନଲାଇନ ମୋଡରେ ବିବାହ ପାଇଁ ପାଇଁ ସ୍ଥିର କରିଥିଲେ ବୋଲି ବରର ପିତା ଅଫଜଲ କହିଛନ୍ତି । ଅର୍ବାଜ ଯୋଧପୁର ଖରାଦିଓଁ କା ମହଲା ଅଞ୍ଚଳ ଅଧିବାସୀ । ଏହି ବିବାହ କୌଣସି ନୂଆ ନୁହେଁ ବୋଲି ସେ କହିଛନ୍ତି । ଅନେକ ସମୟରେ ପଡ଼ୋଶୀ ଦେଶଗୁଡ଼ିକରେ ଏପରି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏପରିକି କୋଭିଡ ମହାମାରୀ ସମୟରେ ଏପରି ଅନଲାଇନ ମୋଡରେ ବିବାହ ହୋଇଥିବା ବର ଅର୍ବାଜ କହିଛନ୍ତି ।
ଏହା ବି ପଢନ୍ତୁ- Seema Haider's lawyer interview: କଣ ହେବ ସୀମା ହାଇଦରଙ୍କ ଭାଗ୍ୟ, ଶୁଣନ୍ତୁ କ’ଣ କହୁଛନ୍ତି ତାଙ୍କ ଓକିଲ
ସେ ଆହୁରି କହିଛନ୍ତି, "ଆମେ ଅପେକ୍ଷା କରିଛୁ ଯେ କେବେ କନ୍ୟା ପକ୍ଷ ଭିସା ପାଇ ଯୋଧପୁରକୁ ଆସିବେ । ଏହାପରେ ଏକ ଛୋଟ ଉତ୍ସବର ଆୟୋଜନ କରାଯିବ ।" ଚଳିତ ବର୍ଷ ଆରମ୍ଭରୁ ଯୋଧପୁର ମୁଜାମିଲ ଖାନ ମଧ୍ୟ ପାକିସ୍ତାନର ଉରୁଜ ଫାତିମାଙ୍କୁ ଅନଲାଇନ ମୋଡରେ ବିବାହ କରିଥିଲେ । ଏହି କ୍ଷେତ୍ରରେ ମଧ୍ୟ ଭିସା ମିଳିବାରେ ବିଳମ୍ବ ହେବାରୁ ଅନଲାଇନ ମୋଡ୍ରେ ବିବାହ ହୋଇଥିଲା । ଏହାପରେ ଭିସା ମିଳିବା ପରେ ଗତ ମେ' ମାସରେ ଶାଶୁ ଘରକୁ ଆସିଥିଲେ ଫାତିମା ।
ସୂଚନା ଥାଉ କି ପାକ୍ ମହିଳା ସୀମା ହୈଦର ଓ ନୋଏଡା ଯୁବକ ସଚିନଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ଏଭଳି ସୀମା ପାର୍ ପ୍ରେମ ଘଟଣା ଅଧିକାଂଶ ଦେଖିବାକୁ ମିଳୁଛି। ସୀମା ହୈଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏପରେ ରାଜସ୍ଥାନର ଅଞ୍ଜୁ ଥୋମାସ ବିବାହର ଅନେକ ବର୍ଷ ପରେ ନିଜ ସ୍ବାମୀ ଓ ସନ୍ତାନଙ୍କୁ ଛାଡ଼ି ପାକିସ୍ତାନ ପ୍ରେମିକ ନିକଟକୁ ଚାଲିଯାଇଛନ୍ତି । ସେଠାରେ ଇସଲାମ ଧର୍ମ ଗ୍ରହଣ କରି ପାକିସ୍ତାନ ପ୍ରେମିକକୁ ବିବାହ କରିଥିବା ଜଣାପଡ଼ିଛି ।