ଜୟପୁର:ରାଜସ୍ଥାନ ଟୋଙ୍କ ଜିଲ୍ଲା ଡିଗ୍ଗି ଅଞ୍ଚଳରେ ଜଣେ 93 ବର୍ଷୀୟ ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଏହି ବୟସାଧିକ ପୂଜକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି । ପୋଲିସ ଆଜି ସକାଳେ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିରେ କେତେଜଣ ଦୁର୍ବୃତ୍ତ ସାମିଲ ଅଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତୋଜନା ଦେଖିବାକୁ ମିଳିଛି । ଅପରାଧୀକୁ ଶୀଘ୍ର ଧରିବା ପାଇଁ ସେମାନେ ଧାରଣାରେ ବସିଛନ୍ତି ।
ହତ୍ୟାର ଶିକାର ହୋଇଥିବା ମହନ୍ତ ସିୟାରାମ ଦାସ ବାବା । ଡିଗ୍ଗି ଅଞ୍ଚଳରେ ଏକ ମହାଦେବ ମନ୍ଦିରରେ ଦୀର୍ଘ 50 ବର୍ଷରୁ ଅଧିକ ଧରି ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । ପ୍ରାୟ ଶତାୟୁ ଏହି ପୂଜକ ମନ୍ଦିର ପରସରରେ ହିଁ ରହୁଥିଲେ । ଗତକାଲି(ମଙ୍ଗଳବାର) ରାତିରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରଯାଇ ହତ୍ୟା କରାଯାଇଛି । ମନ୍ଦିରର ନିକଟରେ ପୂଜକଙ୍କର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମହନ୍ତଙ୍କର ଶରୀରରେ ଏକାଧିକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । କେଉଁ କାରଣରୁ ଜଣେ ଶତାୟୁ ପ୍ରାୟ ମହନ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା ସେ ନେଇ କୌଣସି ସୂଚନା ପୋଲିସ ସ୍ପଷ୍ଟ କରିନି ।