ଲକ୍ଷ୍ନୌ:ଉତ୍ତର ପ୍ରଦେଶର ସୋନଭଦ୍ରରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଞ୍ଜିନରୁ ଅଲଗା ହୋଇଗଲା 5ଟି ବଗି । ତେବେ କିଛି ମିଟର ପର୍ଯ୍ୟନ୍ତ ବିନା ଇଞ୍ଜିନରେ ଗଡିବା ପରେ ବଗିକୁ ପୁଣି ଇଞ୍ଜିନ ସହ ସଲଗ୍ନ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ହୋଇନାହାନ୍ତି । ଉକ୍ତ ରୁଟରେ ରେଳସେବା ସାମାନ୍ୟ ବିଳମ୍ବିତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଏହା ଏକ କୋଇଲା ବୋଝେଇ ମାଲଗାଡି ଥିଲା । କପଲିଂ (ବଗି ସଂଯୋଗୀକରଣ) ସଠିକ ଭାବରେ ହୋଇନଥିବା କାରଣର ସୋନଭଦ୍ର ନିକଟରେ ମାଲଗାଡିର 5ଟି ବଗି ଅନ୍ୟ ବଗିଠାରୁ ଅଲଗା ହୋଇଯାଇଥିଲା । କିଛି ବଗି ଇଞ୍ଜିନ ସହ ଥିବା ବେଳେ ପୃଥକ ହୋଇଯାଇଥିବା 5ଟି କୋଚ୍ ପ୍ରାୟ 7ଶହ ମିଟର ପର୍ଯ୍ୟନ୍ତ ବିନା ଇଞ୍ଜିନ ଗଡିଥିଲା । ପରେ ଟ୍ରେନର ଲୋକୋପାଇଲଟ ଏ ବିଷୟରେ ଜାଣିବାକୁ ପାଇଥିଲେ ।
ସେ ଟ୍ରେନକୁ ରୋକିବା ସହ ନିକଟସ୍ଥ ଷ୍ଟେସନକୁ ଓ୍ବାକିଟକି ମାଧ୍ୟମରେ ଅବଗତ କରିଥିଲେ । ରେଳ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଗିଗୁଡ଼ିକୁ ଟ୍ରେନରେ ପୁନଃ ସଂଲଗ୍ନ କରିଥିଲେ । କିଛି ଘଣ୍ଟାର ବିଳମ୍ବ ପରେ ଟ୍ରେନଟି ପୁଣି ଯାତ୍ରା ଆରମ୍ଭ କରିଥିଲା । ଏହି ଅଘଟଣ ପାଇଁ ଉକ୍ତ ରୁଟରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବ୍ୟାହତ ମଧ୍ୟ ହୋଇଥିଲା । ସେହି ରୁଟରେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକାଧିକ ଲେବଲ କ୍ରସିଂ ଥିଲେ ସୁଦ୍ଧା କୌଣସି ଅଘଟଣ ନଘଟିବା ସମସ୍ତଙ୍କୁ ଆଶ୍ବସ୍ତ କରିଛିି ।