ରାୟପୁର:ଛତିଶଗଡର ଜଞ୍ଜଗିରର ଅଞ୍ଚଳରେ ବୋରୱେଲରେ ଖସି ପଡିଥିବା 12 ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଦୀର୍ଘ 3 ଦିନ ଧରି ଜାରି ରହିଥିଲେ ସୁଦ୍ଧା ସଫଳତା ମିଳିପାରି ନାହିଁ । ଅନ୍ୟପଟେ ଆଉ ଏକ ଆଶ୍ବସ୍ତିକର ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାହୁଲ ଆଉ ମାତ୍ର 3 ଫୁଟ ଦୂରରେ ଥିବା ଜଣାପଡିଛି ।
ଅତି ନିକଟରେ ପହଞ୍ଚି ସାରିଥିବା ଉଦ୍ଧାରକାରୀ ଟିମ ମେସିନ ପରିବର୍ତ୍ତେ କୁଶଳୀ ଯବାନଙ୍କ ହାତରେ ଖନନ କାର୍ଯ୍ୟ ଜାରି ରଖିଛି । ଆଉ ମାତ୍ର କିଛି ଘଣ୍ଚା ମଧ୍ୟରେ ରାହୁଲଙ୍କୁ ଉଦ୍ଧାର କରାଯିବା ନେଇ ମଧ୍ୟ ଆଶା କରାଯାଉଛି । ଖୋଳାଯାଇଥିବା ବୋରଓ୍ବେଲରେ ଶିଶୁଟି ଅଧାରେ ଅଟକି ରହିଥିବା ବେଳେ ପାର୍ଶ୍ବରେ ସମାନ ଗଭୀରରେ ଏକ ଟନେଲ ଖୋଳାଯାଇ ରାହୁଲ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛି ଉଦ୍ଧାରକାରୀ ଟିମ ।
ଉଦ୍ଧାରକାର୍ଯ୍ୟରେ NDRF ଓ SDRF:
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଦୁଇ ରାଜ୍ୟ ଛତିଶଗଡ ଓ ଓଡିଶାର SDRF ଟିମ, ଫାୟାର ସର୍ଭିସର ଟିମର ଉଚ୍ଚ ପ୍ରଶିକ୍ଷିତ ସଦସ୍ୟ ମିଳିତ ଭାବେ ଏହି ବହୁପ୍ରତୀକ୍ଷିତ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ବୋରଓ୍ବେଲ ଭିତରକୁ ଖାଦ୍ୟ ଓ ପାଣି ମଧ୍ୟ ପଠାଯାଇଛି । ତେବେ ବାଳକଟିର ଅବସ୍ଥା କିପରି ଅଛି ତାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇପାରୁ ନାହିଁ ।