ରାୟପୁର: ପଛୁଆବର୍ଗ, ଆଦିବାସୀ ଓ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବାକୁ ହେଲେ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଏହା କାର୍ଯ୍ୟକାରୀ କରିବାକୁ ଆଦୌ ଚାହୁଁନାହିଁ । ହେଲେ କଂଗ୍ରେସ ଏହାକୁ କାର୍ଯ୍ୟକାରୀ କରି ଦେଖାଇବ । ରାଜ୍ୟରେ ଚଳିତ ଥର କଂଗ୍ରେସ ସରକାର ଗଠନ ହେଲେ ପ୍ରଥମ ପଦକ୍ଷେପ ଭାବେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରାଯିବା ନେଇ ରାହୁଲ ଗାନ୍ଧୀ କହିଛନ୍ତି । ଆଜି ଛତିଶଗଡର ବିଳାଶପୁରରେ ରାଜ୍ୟ ସରକାରଙ୍କ MGANY କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି ପ୍ରସଙ୍ଗରେ ମୋଦି ସରକାର ଉପରେ ବର୍ଷିବା ସହ ଦଳର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି ରାହୁଲ ।
ଆଜି (ସୋମବାର) ବିଳାଶପୁରରେ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଆବାସ ନ୍ୟାୟ ଯୋଜନା (MGANY)କୁ କାର୍ଯ୍ୟକାରୀ କରିଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନ୍ୟ ପ୍ରାଦେଶିକ ନେତା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ କହିଛନ୍ତି,‘‘ମୁଁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଇଛି । ହେଲେ ଯେତେବେଳେ ଏହି ପ୍ରସଙ୍ଗରେ ମୁଁ କହିବା ଆରମ୍ଭ କରିଛି, ଗୃହରେ କ୍ୟାମେରାକୁ ବୁଲାଇ ଦିଆଯାଇଛି । ବିଜେପି ଜାତିଭିତ୍ତିକ ଜନଗଣନା କରିବାକୁ ଭୟ କରୁଛି । ଏହି ପ୍ରସଙ୍ଗରେ ଦେଶବାସୀଙ୍କ ନଜର ହଟାଇବା ପାଇଁ ବାରମ୍ବାର ପ୍ରୟାସ କରୁଛି ।’’