ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । କୋରୋନାର ଦ୍ବିତୀୟ ଲହରରେ ଭୟଙ୍କର ହୋଇଛି ପରିସ୍ଥିତି । ସ୍ଥିତିର ମୁକାବିଲା ନେଇ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମହାମାରୀ ସହିତ ମୁକାବିଲା କରିବାକୁ ଚିଠିରେ ପରାମର୍ଶ ଦେଇଛନ୍ତି ରାହୁଲ ।
କୋଭିଡ ସୁନାମୀ ଭଳି କ୍ରମାଗତ ଭାବରେ ଆମ ଦେଶକୁ ଧ୍ବଂସ କରିବାରେ ଲାଗିଛି । ତେଣୁ ମୁଁ ଆପଣଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଛି । ଏପରି ସ୍ଥିତିରେ ଦେଶବାସୀ ଆପଣଙ୍କର ପ୍ରଥମ ପ୍ରାଥମିକତା ହେବା ଦରକାର । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଅନାବଶ୍ୟକ କାରଣ ପାଇଁ ଲୋକମାନେ ଭୋଗୁଥିବା ଯନ୍ତ୍ରଣାକୁ ଅଟକାନ୍ତୁ । ଯାହା ଆପଣଙ୍କ ହାତରେ ଅଛି ବୋଲି ଚିଠିରେ ଉଲ୍ଲେଖ୍ୟ କରିଛନ୍ତି ରାହୁଲ ।
ବିଶ୍ବ ସ୍ତରରେ ଭାରତର ଦାୟିତ୍ବକୁ ବୁଝିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ପୃଥିବୀରେ ପ୍ରତି ଛଅ ଜଣ ମଣିଷଙ୍କ ମଧ୍ୟରୁ ଜଣେ ଭାରତୀୟ । ମହାମାରୀ ଆମ ଘରକୁ ଧ୍ବଂସ କରିବାରେ ଲାଗିଛି । ଡବଲ୍ ଏବଂ ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଯାହା ସହିତ ବର୍ତ୍ତମାନ ଆମେ ସଂଗ୍ରାମ କରୁଛୁ ଯାହାକି କେବଳ ଆରମ୍ଭ ମାତ୍ର, ଆଉ ଏହାକୁ ନେଇ ମୁଁ ଭୟ କରୁଛି ବୋଲି କହିଛନ୍ତି ରାହୁଲ ।