ଚଣ୍ଡିଗଡ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାହୁଲ ସ୍ବେଚ୍ଛାସେବୀ ଭାବେ ଶ୍ରମଦାନ ମଧ୍ୟ କରିଛନ୍ତି । ରାହୁଲ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ପରିବେଷଣ ପାଇଁ ବ୍ୟବହାର ହେଉଥିବା ପାତ୍ର ସଫା କରିଥିଲେ । ରାହୁଲଙ୍କ ସହ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟ କିଛି ନେତା ମଧ୍ୟ ସାମିଲ ହୋଇଥିଲେ । ରାହୁଲ ଶିଖ ଧର୍ମ ଅନୁସାରେ, ମୁଣ୍ଡରେ ଏକ ପାରମ୍ପରିକ ସ୍କାର୍ଫ ବ୍ୟବହାର କରିଥିଲେ । ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ କଂଗ୍ରେସ ନିଜ ଅଫିସଆଲ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛି । ରାହୁଲ ଗାନ୍ଧୀ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ସେବା ମଧ୍ୟ କରିଛନ୍ତି ବୋଲି ଦଳ କହିଛି ।
ଦଳୀୟ ସୂତ୍ର ଅନୁସାରେ, ରାହୁଲଙ୍କର ଏହା କୌଣସି ରାଜନୈତିକ ଗସ୍ତ ନଥିଲା । ଏହା ରାହୁଲଙ୍କ ବ୍ୟକ୍ତିଗତ ଗସ୍ତ ଥିଲା । ରାହୁଲ ପୂର୍ବାହ୍ନ ପ୍ରାୟ 11.15 ମିନିଟରେ ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ । ପରେ ସେ ସେଠାରୁ ସିଧା ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ କରିବା ସହ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ରାହୁଲଙ୍କ ସହ ବହୁ ପ୍ରଦେଶ କଂଗ୍ରେସ ନେତା ମଧ୍ୟ ସାମିଲ ହୋଇଥିଲେ । ପ୍ରାର୍ଥନା ଓ ମନ୍ଦିର ପରିସର ପରିଦର୍ଶନ ପରେ ରାହୁଲ ଶ୍ରମଦାନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନରେ ବ୍ୟବହୃତ ପାତ୍ର ସଫା ହେଉଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ସେ ମୁଣ୍ଡରେ ଏକ ନୀଳ ରଙ୍ଗର ସ୍କାର୍ଫ ବ୍ୟବହାର କରି କିଛି ବାସନ ସଫା କରିଥିଲେ ।
ତେବେ ଆଜି ଅମୃତସର ଗସ୍ତରେ ଥିବା ରାହୁଲ ନିକଟରେ ନିଜର ଏକାଧିକ ଗସ୍ତ ପାଇଁ ଚର୍ଚ୍ଚାରେ ରହିଛନ୍ତି । 3 ଦିନ ତଳେ ସେ ଦିଲ୍ଲୀର ଏକ ଫର୍ଣ୍ଣିଚର ବଜାରରେ ପହଞ୍ଚିଥିଲେ । ସେଠାରେ ସେ କାଠ କାରିଗରଙ୍କ ସହ ଆଲୋଚନା କରିବା ସହ ନିଜେ ଆସବାବପତ୍ର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଦେଖିଥିଲେ । ନିଜେ କରତ ଧରି କାଠ କାଟିଥିଲେ ରାହୁଲ । ଏହା ପୂର୍ବରୁ ସେ ଦିଲ୍ଲୀର ଏକ ଷ୍ଟେସନରେ କୁଲିଙ୍କ ସହ ଆଲୋଚନା କରିବା ସହ ମୁଣ୍ଡରେ ଲଗେଜ ମଧ୍ୟ ବୋହି ଚର୍ଚ୍ଚାକୁ ଆସିଥିଲେ ।