ଶ୍ରୀନଗର: ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡ ଯାତ୍ରା। ଜମ୍ମୁକାଶ୍ମାୀରରେ ଭାରତ ଯୋଡ ଯାତ୍ରା ଜାରି ରହିଥିବା ବେଳେ ଆଜି ଶ୍ରୀନଗରରେ ଲାଲ ଚୌକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରୀନଗରରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି । ଲାଲ ଚୌକରୁ ଏବେ ନେହୁରୁ ପାର୍କ ଅଭିମୁଖେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ । 4 ହଜାର କିଲୋମିଟର ପଦଯାତ୍ରା ପରେ ଆସନ୍ତାକାଲି ଏହା ଶେଷ ହେବ ।
ଆଜି ସାତ କିଲୋମିଟର ଯାତ୍ରା କରିବା ପରେ ଶ୍ରୀନଗରର ସୌନଓ୍ବାଲ ଅଞ୍ଚଳରେ ପହଞ୍ଚି ବିଶ୍ରାମ ନେଇଥିଲେ କଂଗ୍ରେସ କର୍ମୀ । କିଛି ସମୟ ପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଲାଲଚୌକ ସିଟି ସେଣ୍ଟରକୁ ଯାଇଥିଲେ । ଏହି ସମୟରେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡା କଡି କରାଯାଇଥିଲା। ପୁରା ଅଞ୍ଚଳକୁ ସିଲ କରାଯାଇଥିଲା । କଡା ସୁରକ୍ଷା ବଳ ମଧ୍ୟରେ ପତାକା ଉତ୍ତୋଳନ କରିଥିଲେ ରାହୁଲ ଗାନ୍ଧୀ । ଆସନ୍ତାକାଲି ଶ୍ରୀନଗରର ଏମ ରୋଡରେ ଥିବା କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବେ, ଏହା ପରେ ଏସ.କେ ଷ୍ଟାଡିୟମରେ ଏକ ସାଧାରଣ ସଭାର ଆୟୋଜନ କରାଯିବ । ଏହି ସାଧାରଣ ସଭା ପାଇଁ 23ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି ।