ନୂଆଦିଲ୍ଲୀ:ନିକଟରେ ଦିଲ୍ଲୀର ଏକ ରେଳ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଖାଲି ଆଲୋଚନା କରିନଥିଲେ, ବରଂ ପାରମ୍ପରିକ କୁଲି ପୋଷାକ ପିନ୍ଧି ମୁଣ୍ଡରେ ଲଗେଜ୍ ମଧ୍ୟ ବୋହିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଆଜି ସମାନ ଢଙ୍ଗରେ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର ବଜାରରେ ରାହୁଲଙ୍କୁ ଦେଖିବାକୁ ମିଳିଛି । ରାହୁଲ ସେଠାରେ କାର୍ଯ୍ୟରତ କାଠ କାରିଗରଙ୍କ ସହ ଆଲୋଚନା କରିଥିଲେ । କାଠ ନିର୍ମିତ ଆସବାବପତ୍ର କିପରି ପ୍ରସ୍ତୁତ ହେଉଛି, ସେ ସମ୍ପର୍କରେ ଉତ୍ସୁକତା ଦେଖାଇ ରାହୁଲ କାରିଗରଙ୍କ ସହ ମିଶି କାଠ ମଧ୍ୟ କାଟିଥିଲେ ।
ରାହୁଲଙ୍କ ହାତରେ ଏକାଧିକ ଆସବାବପତ୍ର ନିର୍ମାଣ କରିବା ପାଇଁ ବ୍ୟବହାର ହେଉଥିବା ଉପକରଣ ଦେଖିବାକୁ ମିଳିଥିଲା । ଜଣେ ପେଶାଦାର କାଠ କାରିଗର ଭଳି ରାହୁଲ ଡ୍ରିଲ୍ ମେସିନ ଓ କରତ ଧରି କାଠ କାଟିଥିଲେ । ବେଶ କିଛି ସମୟ ରାହୁଲ କାଠ ଓ୍ବାର୍କସପରେ ସମୟ କାଟିଥିଲେ । ପ୍ରସ୍ତୁତ ହୋଇ ରଖାଯାଇଥିବା ଆସବାବପତ୍ର ମଧ୍ୟ ବୁଲି ଦେଖିଥିଲେ । ସେମାନଙ୍କର ପାରିଶ୍ରମିକ ଓ ବ୍ୟବସାୟ ସମ୍ପର୍କରେ ମଧ୍ୟ ରାହୁଲ ଆଲୋଚନା କରିଥିଲେ ।
ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ ଉଭୟ କଂଗ୍ରେସ ଓ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରାହୁଲ ଏକାଧିକ ଫଟୋ ସେୟାର କରି ଟ୍ବିଟରେ ଲେଖିଛନ୍ତି,‘‘ ଆଜି ଏସିଆ ମହାଦେଶର ସର୍ବବୃହତ୍ତ ଫର୍ଣ୍ଣିଚର ବଜାରରେ ବଢେଇ ଭାଇମାନଙ୍କ ସହ ଆଲୋଚନା କଲି । ସେମାନେ ବେଶ ପରିଶ୍ରମୀ ଓ କୁଶଳୀ ମଧ୍ୟ । ମଜଭୂତ ଓ ସୁନ୍ଦର ଆସବାବପତ୍ର ପ୍ରସ୍ତୁତ କରିବାରେ ସେମାନେ ବେଶ ନିପୂଣ । ଆଲୋଚନା ହେଲା ଓ ସେମାନଙ୍କ ଠାରୁ କିଛି ଶିଖିବା ପାଇଁ ପ୍ରୟାସ ମଧ୍ୟ କଲି ।’’ କଂଗ୍ରେସ ମଧ୍ୟ ଦଳୀୟ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକାଧିକ ଫଟୋ ସେୟାର କରି, ଜନନେତା ରାହୁଲ ଗାନ୍ଧୀ ଦିଲ୍ଲୀର ବଢେଇ ଭାଇଙ୍କ ସହ ଆଲୋଚନା କଲେ । ଭାରତ ଯୋଡୋ ଯାତ୍ରା ଜାରି ରହିଛି ।