ଲଦାଖ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ବାପାଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଜବାବରେ ବିଜେପି କହିଛନ୍ତି ଛୁଟି କଟାଇବାକୁ ଲଦାଖରେ ବୁଲୁଛନ୍ତି ରାହୁଲ ।
ଲଦାଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ''ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଛି ଚୀନ । ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଏହା ସତ୍ୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସତ ଜାଣିବାକୁ ସୀମା ସଂଲଗ୍ନ ଅନେକ ସ୍ଥାନ ବୁଲି ସ୍ଥିତି ପରିଖିବି । ଏଠାକାର ସମସ୍ତଙ୍କୁ ପଚାର ଏଠାରେ ସମସ୍ତେ କହୁଛନ୍ତି ଚୀନ ସେନା ଏଠାରେ ଧଶେଇ ପଶିଛି । ଏଠାରେ କାହାକୁ ବି ପଚାରି ପାର ସେମାନେ କହିବେ ଏଠାରେ ଚୀନ ସେନା ପ୍ରବେଶ କରିଛି ।''
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି,'' ଲଦାଖବାସୀଙ୍କ ଅନେକ ଅଭିଯୋଗ ରହିଛି । ଲଦାଖବାସୀଙ୍କୁ ପ୍ରଦାନ କରାଯାଇଥିବା ମାନ୍ୟତାରେ ସେମାନେ ଖୁସି ନାହାନ୍ତି । ସେମାନେ ପ୍ରତିନିଧିତ୍ବ ଚାହାନ୍ତି । ଏଠାରେ ବେରୋଜଗାରୀ ସମସ୍ୟା ରହିଛି । ସମସ୍ତେ ଏହା କହୁଛନ୍ତି ମହଙ୍ଗାମାଡ ବଢୁଛି ବେରୋଜଗାରି ରହିଛି । ରାଜ୍ୟକୁ ବ୍ୟୁରୋକ୍ରାସି ଜରିଆରେ ନୁହେଁ ଜନତାଙ୍କ ସ୍ବରକୁ ନେଇ ଚଳାଇବାକୁ ହେବ ।''