ବେଙ୍ଗାଲୁରୁ:କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଶନିବାର କର୍ଣ୍ଣାଟକର ବେଲ୍ଲାରିରେ ପହଞ୍ଚିଛି । ଏଠାରେ ଏକ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବାବେଳେ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ଭାରତରେ ବେରୋଜଗାରୀ ସଂଖ୍ୟା ବଢିଥିବାବେଳେ ସରକାର ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ । ତେବେ ସେହି ଚାକିରି ସବୁ କେଉଁଆଡ଼େ ଗଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।
ରାହୁଲ କହିଛନ୍ତି, "କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦ ଖାଲି ରହିଛି । ଯଦି ଆପଣ ପୋଲିସ ସବ-ଇନିସପେକ୍ଟର ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୮୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଯଦି ଆପଣଙ୍କ ନିକଟରେ ଅର୍ଥ ଅଛି, ତେବେ ଆପଣ କର୍ଣ୍ଣାଟକରେ ସରକାରୀ ଚାକିରି କିଣିପାରିବେ । ଯଦି ଆପଣଙ୍କ ନିକଟରେ ଟଙ୍କା ନାହିଁ ତେବେ ଆପଣ ଜୀବନ ସାରା ବେରୋଜଗାର ରହିବେ ।"
ଏହା ବି ପଢନ୍ତୁ- ଜର୍ମାନ କଷ୍ଟଡିରେ କୁନିଝିଅ, ମୁକୁଳାଇବା ପାଇଁ ଗୁଜୁରାଟୀ ପରିବାରର ଗୁହାରି
'କର୍ଣ୍ଣାଟକ ସରକାର SC-ST ବିରୋଧୀ'
ଏହି ରାଲି ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ସରକାରଙ୍କୁ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବିରୋଧୀ ବୋଲି କହିଛନ୍ତି । ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି ଯେ, "ବିଜେପି ନେତୃତ୍ବାଧୀନ ସରକାରକୁ ୪୦ ପ୍ରତିଶତ କମିଶନ ସରକାର ବୋଲି କୁହାଯାଏ । ଏହାର ଭରଣ ପୋଷଣ କରି କେଉଁ କାର୍ଯ୍ୟ ବି କରାଯାଇପାରିବ ।
ରାହୁଲଙ୍କ ସହ ଖଡ଼ଗେ ସାମିଲ
କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲେ ମଲ୍ଲିକାର୍ଜୁନ ଖଡ଼ଗେ । କର୍ଣ୍ଣାଟକ ବେଲ୍ଲାରି ଜିଲ୍ଲାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସେ ରାହୁଲଙ୍କ ସହ ସାମିଲ ହୋଇଛନ୍ତି । ଏହି ଯାତ୍ରା ୧୦୦୦ କିମି ରାସ୍ତା ଅତିକ୍ରମ କରିଛି । ତେବେ ବେଲ୍ଲାରିରେ ଏହି ଉପଲବ୍ଧିର ଉତ୍ସବ ପାଳିବା ଲାଗି ଏଠାରେ ହୋଇଥିବା ଜନସଭାରେ ଖଡ଼ଗେ ମଧ୍ୟ ସାମିଲ ହୋଇଛନ୍ତି । ଖଡ଼ଗେ ପ୍ରଥମ ଥର ଲାଗି ଏହି ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଗତ ସେପ୍ଟେମ୍ବର ୩୦ ତାରିଖରେ କର୍ଣ୍ଣାଟକରେ ପ୍ରବେଶ କରିଥିବାବେଳେ, ୨୦ ଅକ୍ଟୋବରରେ ରାଜ୍ୟରେ ଏହି ଯାତ୍ରା ଶେଷ ହେବ ।