ଲଣ୍ଡନ:ବ୍ରିଟେନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଲୋଚନାଚକ୍ର ‘ଆଇଡିଆଜ୍ ଫର ଇଣ୍ଡିଆ’ ରେ ଅଂଶ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଦଳ ମୁଖ୍ୟ ରାହୁଲ ଗାନ୍ଧୀ । ଏହି ଆଲୋଚନାଚକ୍ରରେ ନିଜର ମତ ରଖି ଏକାଧିକ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାର ଓ ଆରଏସଏସକୁ କଡା ସମାଲୋଚନା କରିଛନ୍ତି ରାହୁଲ । ଦେଶରେ ଜାରି ରହିଥିବା ସାମ୍ପ୍ରତିକ ସ୍ଥିତ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସରକାରର ନୀତି ଓ ବିଫଳତାକୁ କଡା ସମାଲୋଚନା କରିଛନ୍ତି ରାହୁଲ । ସାମ୍ପ୍ରଦାୟିକ ହିଂସା, ଘରୋଇକରଣ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ରର ନୀତିକୁ କଡା ସମାଲୋଚନା କରିଛନ୍ତି ରାହୁଲ ।
ବିଜେପି ଦେଶରେ କିରୋସିନି ଢାଳିବାର କାର୍ଯ୍ୟ କରୁଛି:-
ଦେଶ ବର୍ତ୍ତମାନ ଭଲ ସ୍ଥିତିରେ ନାହିଁ । ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏକ ଚିଙ୍ଗାରୀର ଆବଶ୍ୟକତା ରହିଥିବା ପରି ସ୍ଥିତି ଦେଖିବାକୁ ମିଳିଲାଣି । ଏପରି ସମୟରେ କେନ୍ଦ୍ରରେ ଶାସନାଧିନ ଭାରତୀୟ ଜନତା ପାର୍ଟି ଦେଶରେ କିରୋସିନି ଛିଞ୍ଚିବାର କାର୍ଯ୍ୟ ଜାରି ରଖିଛି । ତେବେ ଏପରି ସ୍ଥିତିରେ କଂଗ୍ରେସ ପ୍ରତ୍ୟେକ ବ୍ୟକ୍ତି, ସମୂଦାୟ, ଧର୍ମ ଓ ରାଜ୍ୟକୁ ଏକାସାଙ୍ଗରେ ନେଇ ଆଗକୁ ବଢିବାରେ ପ୍ରାୟସ ଜାରି ରଖିଥିବା ରାହୁଲ କହିଛନ୍ତି ।
ସେହିପରି ରାହୁଲ ଭାରତୀୟ ଜନତା ପାର୍ଟିର ବିଜୟ ଓ କଂଗ୍ରେସର ଶୋଚନୀୟ ହାରର କାରଣ ମଧ୍ୟ କହିଛନ୍ତି । ମିଡିଆ ଟ୍ରାଏଲ ପାଇଁ ଭାରତୀୟ ଜନତା ପାର୍ଟିକୁ ଲାଭ ପହଞ୍ଚୁଛି । ଦେଶକୁ ଯେଉଁ ସବୁ ସଂସ୍ଥା ନିର୍ମାଣ କରିଥିଲେ, ସେହି ସବୁ ସଂସ୍ଥା ଉପରେ ବିଜେପି ସରକାର ଆକ୍ରମଣ କରିବାର ଲାଗିଛି । ସଂସ୍ଥାଗୁଡିକ ଏବେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେବାରେ ଲାଗିଛି ବୋଲି ରାହୁଲ କହିଛନ୍ତି ।
ଦେଶରେ ବଢୁଛି ଘରୋଇ ଏକାଧିକାର ନୀତି:-
ସେହିପରି ଘରୋଇକରଣ ଉପରେ ମତ ରଖି ରାହୁଲ କହିଛନ୍ତି, ଦେଶରେ ବର୍ତ୍ତମାନ ଘରୋଇ କ୍ଷେତ୍ରର ଏକାଧିକାର ପଲିସି ଆରମ୍ଭ ହୋଇଛି । ନିଜେ କେନ୍ଦ୍ର ସରକାର ଏହି ଏକାଧିକାର ନୀତିର ପ୍ରୋତ୍ସାହନରେ ଲାଗିଛନ୍ତି । ଦେଶର ବିମାନ ବନ୍ଦର, ବନ୍ଦର ପରି ବୃହତ୍ତ ଭିତ୍ତିଭୂମି ଉପରେ କିଛି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀର ମାଲିକାନା ଏକ ଭୟଙ୍କର ପରମ୍ପରା ସୃଷ୍ଟି କରୁଛି । ସେହିପରି ଦେଶର ଗଣମାଧ୍ୟକୁ ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ସାରିଥିବା ରାହୁଲ କହିଛନ୍ତି ।