ନୂଆଦିଲ୍ଲୀ:ତୈଳ ଦର ଅହେତୁକ ବୃଦ୍ଧି ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ମୋଦି ସରକାରରେ ବିକାଶର ଅବସ୍ଥା ଏଭଳି ଯେ ଯଦି କୌଣସି ଦିନ ପେଟ୍ରୋଲ-ଡିଜେଲ ଦର ନ ବଢେ, ତାହାହେଲେ ଏହା ସବୁଠୁ ବଡ ଖବର ହେବ । ପିଏମ ମୋଦିଙ୍କୁ ସମାଲୋଚନା କରି ନିଜ ଟ୍ବିଟର ହ୍ୟାଣ୍ଡେଲରେ ରାହୁଲ ଏଭଳି ଟ୍ବିଟ୍ କରିଛନ୍ତି ।
ଗତ କିଛି ମାସ ଧରି ଦେଶରେ ଲଗାତାର ପେଟ୍ରୋଲ ଡିଜେଲ ଦାମ୍ ବଢିବାରେ ଲାଗିଛି । ଆଜି(ଶୁକ୍ରବାର) ପୁଣି ପେଟ୍ରୋଲ ଦର 26-27 ପଇସା ଏବଂ ଡିଜେଲ ଦର 28-30 ପଇସାକୁ ବୃଦ୍ଧି ପାଇଛି । କେତେକ ରାଜ୍ୟରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ 100 ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ଲିଟର 90ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଏହାକୁ ଭିତ୍ତିକରି କଂଗ୍ରେସ ଲୋକସଭା ସାଂସଦ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ବଢିବା ବଡ କଥା ନୁହେଁ, ଯଦି କୌଣସି ଦିନ ପେଟ୍ରୋଲ ଦର ନ ବଢେ, ତାହା ସବୁଠୁ ବଡ ଖବର ହେବ ବୋଲି ରାହୁଲ କହିଛନ୍ତି ।