ଭୋପାଳ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ ପ୍ରଚାର ଜୋରଦାର କରିଛି । ଏହାରି ମଧ୍ୟରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ କଂଗ୍ରେସ ଯେବେଠୁ ଜାତିଭିତ୍ତିକ ଗଣନା ସମ୍ପର୍କରେ ଆଲୋଚନା କରିଛି, ସେହି ଦିନଠୁ ପ୍ରଧାନମନ୍ତ୍ରୀଙ୍କ ମନରୁ ଜାତି ଗାଏବ ହୋଇଯାଇଛି । ତେବେ କଂଗ୍ରେସ ରାଜ୍ୟରେ ସରକାର ଗଢିଲେ ଜାତି ଭିତ୍ତିକ ଗଣନା କରିବ ବୋଲି କହିଛନ୍ତି ରାହୁଲ ।
ଏନେଇ ରାହୁଲ ଗାନ୍ଧୀ କହିଛନ୍ତି, "ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିଲେ ପ୍ରଥମ କାମ ହେବ ଜାତିଭିତ୍ତିକ ଗଣନା । ପଛୁଆ ବର୍ଗ (OBC)ଙ୍କ ସଂଖ୍ୟା ଜାଣିବା ଲାଗି ଏହା ଜାତି ଭିତ୍ତିକ ଜନଗଣନା କରାଯିବ । X-ray ପରି ସମସ୍ତ ବର୍ଗର ଲୋକଙ୍କ ସଂଖ୍ୟା ସାମ୍ନାକୁ ଆସିବ । ଯାହାକୁ ଆଧାର କରି କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରାଯିବ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଟାର୍ଗେଟ କରି କହିଛନ୍ତି, "ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ- ଭାଇ ଓ ଭଉଣୀ ମୁଁ OBC ବର୍ଗର । ହେଲେ କିଛି ଦିନ ପୂର୍ବରୁ ସେ ନିଜ ଭାଷଣରେ କହିଥିଲେ ଦେଶର କେବଳ ଗୋଟିଏ ଜାତି ଅଛନ୍ତି ସେ ହେଉଛି ଗରିବ । ଯେବେଠୁ କଂଗ୍ରେସ ଜାତି ଭିତ୍ତିକ ଜନଗଣନା କଥା ଉଠାଇଛି, ସେବେଠୁ ପ୍ରଧାନମନ୍ତ୍ରୀ ଜାତି ଶବ୍ଦକୁ ଭୁଲିଯାଇଛନ୍ତି । କାରଣ ସେ ଓବିସି, ଦଳିତ, ଆଦିବାସୀ ଯୁବକଙ୍କ ଆଗରେ ଦେଶର ବାସ୍ତବତାକୁ ଲୁଚାଉଛନ୍ତି ।"