ନୂଆଦିଲ୍ଲୀ: କେରଳରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଝଡ । ଭାଷଣ ଦେବା ପରେ ବିବାଦର ଜାଲରେ ଛନ୍ଦିହେବାକୁ ରାହୁଲ ଗାନ୍ଧୀଙ୍କୁ ଲାଗିନି ବେଶି ସମୟ । ୱାୟନାଡର ସାଂସଦ ରାହୁଲ ଗାନ୍ଧୀ କେରଳ ଗସ୍ତରେ ଯାଇ କହିଥିଲେ, ମୁଁ ଯେତେବେଳେ ଉତ୍ତରପ୍ରଦେଶର ଅମେଠିକୁ ପ୍ରତିନିଧିତ୍ବ କରୁଥିଲି, ସେତେବେଳ ଭିନ୍ନ ପ୍ରକାରର ରାଜନୀତି କରିବାରେ ଅଭ୍ୟସ୍ତ ଥିଲି । ବାସ ରାହୁଲଙ୍କ ଏହି ଦୁଇପଦ କଥା କିଛି କ୍ଷଣ ମଧ୍ୟରେ ବିବାଦର ନିଆଁକୁ ଏତେ ମାତ୍ରାରେ ତେଜି ଦେଇଛି ଯେ ଯାହା ଏବେ ଦକ୍ଷିଣରୁ ଉତ୍ତର ଯାଏଁ ବ୍ୟାପିବାରେ ଲାଗିଛି ।
ରାହୁଲ କହିଥିଲେ, ପ୍ରଥମ 15 ବର୍ଷ ମୁଁ ଉତ୍ତରଭାରତରୁ ସାଂସଦ ରହିଥିଲି । ଏଣୁ ମୁଁ ଏକ ଭିନ୍ନ ପ୍ରକାରର ରାଜନୀତିରେ ଅଭ୍ୟସ୍ତ ହୋଇଯାଇଥିଲି । ହେଲେ ମୋ ପାଇଁ କେରଳକୁ ଆସିବା ଅତ୍ୟନ୍ତ ସତେଜ ଥିଲା । କାରଣ ଅଚାନକ ମୁଁ ଜାଣିବାକୁ ପାଇଲି ଯେ ଏଠାକାର ଲୋକମାନେ କେବଳ ଉପାଦେୟ ନୁହେଁ ବରଂ ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଭାବରେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଥିଲେ ରାହୁଲ ।
କେରଳ ନିର୍ବାଚନକୁ ନେଇ ଆୟୋଜିତ ଐଶ୍ବର୍ଯ୍ୟ ଯାତ୍ରାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଥିଲେ, କେରଳର ରାଜନୀତି ଉପରଠାଉରିଆ ନୁହେଁ । ତେବେ ଏହି ବୟାନ ପରେ ସିଧାସଳଖ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ରାହୁଲ । ଏପରିକି ରାହୁଲ ଭାରତକୁ ଭାଗ ଭାଗ କରିବାକୁ ପ୍ରୟାସ କରୁଥିବା ବିଜେପି ଅଭିଯୋଗ ମଧ୍ୟ କରିଛି ।