ବେଙ୍ଗାଲୁରୁ:କର୍ଣ୍ଣାଟକ ନିର୍ବାଚନୀ ମୈଦାନ ଏବେ ଆରୋପ ପ୍ରତ୍ୟାରୋପର ମଞ୍ଚରେ ପରିଣତ ହେବା ପରି ଦୃଶ୍ୟମାନ ହେଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ 91ଥର ତାଙ୍କ ପ୍ରତି ଅବଶବ୍ଦ ବ୍ୟବହାର କରିସାରିଥିବା କହିବା ପରେ ଆଜି ସେହି ନିର୍ବାଚନୀ ସଭାମଞ୍ଚରୁ ଏହାର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ନିର୍ବାଚନର କେବଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହେଉନାହିଁ । ଏକଥା ପ୍ରଧାନମନ୍ତ୍ରୀ ବୁଝିବା ଆବଶ୍ୟକ । ପ୍ରକୃତ ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଉ । ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାମଞ୍ଚରେ ବ୍ୟକ୍ତିଗତ କଥା ନକହି, କର୍ଣ୍ଣାଟକବାସୀଙ୍କ କଥା କୁହନ୍ତୁ । ଦଳ କ୍ଷମତାରେ ଥିବା 3 ବର୍ଷ ଓ ସେ ଆଗକୁ କ୍ଷମତାରେ ରହିଲେ ରାଜ୍ୟବାସୀଙ୍କ ପାଇଁ କଣ କରିବ ସେନେଇ ପ୍ରଧାନମନ୍ତ୍ରୀ କହିବା ଉଚିତ ବୋଲି ରାହୁଲ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ରାହୁଲ କହିଛନ୍ତି,"ଆପଣ ନିର୍ବାଚନୀ ମୈଦାନକୁ ଆସୁଛନ୍ତି, ନିର୍ବାଚନ ପ୍ରସଙ୍ଗର କିଛି କହୁନାହାନ୍ତି । ଆପଣଙ୍କ ବ୍ୟକ୍ତିଗତ କଥା କହି ଚାଲିଛନ୍ତି । ଆପଣ ଗତ 3ବର୍ଷ ମଧ୍ୟରେ କର୍ଣ୍ଣାଟକ ପାଇଁ କଣ କରିଛନ୍ତି ଓ କ୍ଷମତାକୁ ଆସିଲେ ଆସନ୍ତା 5 ବର୍ଷ ମଧ୍ୟରେ କ’ଣ କରିବେ ସେନେଇ ଲୋକଙ୍କୁ କହିବା ଉଚିତ । ଆପଣ କର୍ଣ୍ଣାଟକ ଯୁବପିଢିଙ୍କ ପାଇଁ କ’ଣ କରିଛନ୍ତି, ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କ’ଣ କରିଛନ୍ତି ସେ ନେଇ ନିର୍ବାଚନୀ ସଭାରେ ମନ୍ତବ୍ୟ ରଖନ୍ତୁ ।"