ଓଡିଶା

odisha

By ETV Bharat Odisha Team

Published : Dec 27, 2023, 10:28 AM IST

Updated : Dec 27, 2023, 10:54 AM IST

ETV Bharat / bharat

ହରିୟାଣା ଯାଇ ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ; ମୂଳା ଦେଇ ସ୍ବାଗତ କଲେ କୁସ୍ତିଯୋଦ୍ଧା

Rahul Gandhi Meets Wrestlers: ସକାଳୁ ସକାଳୁ ହରିୟାଣା ଯାଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ
ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ

ଚଣ୍ଡିଗଡ଼:ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କୁ ନେଇ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ କମୁନି ଅସନ୍ତୋଷ । ବ୍ରିଜଭୂଷଣଙ୍କ ଗିରଫ ଦାବିରେ ଅଡ଼ି ବସିଛନ୍ତି କୁସ୍ତିଯୋଦ୍ଧା । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି(ବୁଧବାର) ସକାଳୁ ସକାଳୁ ହରିୟାଣା ଇଜ୍ଜର ଜିଲ୍ଲାର ଛାରା ଗାଁ ଗସ୍ତ କରିଛନ୍ତି । ସେଠାରେ ବୀରେନ୍ଦ୍ର ଆର୍ଯ୍ୟ ଆଖଡ଼ାରେ ପହଞ୍ଚି ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟିଛନ୍ତି । ରାହୁଲ ଆଖଡ଼ାରେ ପହଞ୍ଚିବା ପରେ ତାଙ୍କୁ ଫୁଲତୋଡା ବଦଳରେ ତଟ୍‌କା ମୂଳା ଦେଇ କୁସ୍ତିଯୋଦ୍ଧାମାନେ ସ୍ବାଗତ କରିଥିଲେ । କଂଗ୍ରେସ ନେତା କୁସ୍ତିଯୋଦ୍ଧାଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ଏମିତିକ ପୁନିଆଙ୍କ ସହ ସେ କୁସ୍ତି ଅଭ୍ୟାସ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ରାହୁଲ ଗାନ୍ଧୀ କୁସ୍ତିଯୋଦ୍ଧାଙ୍କୁ ଭେଟି ତାଙ୍କର ଦିନଚର୍ଯ୍ୟା ପଚାରି ବୁଝିଥିଲେ । କହିରଖୁଛୁ କି, ଛାରା ଗାଁରେ କୁସ୍ତିଯୋଦ୍ଧା ଦୀପକ ପୁନିଆଙ୍କ ଘର । ଉଭୟ ଦୀପକ ଓ ବଜରଙ୍ଗ ପୁନିଆ ବୀରେନ୍ଦ୍ର ଆଖଡ଼ାରେ କୁସ୍ତି ଆରମ୍ଭ କରିଥିଲେ । ତେବେ ରାହୁଲଙ୍କ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀଠାରେ କୁସ୍ତିଯୋଦ୍ଧାମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରିୟଙ୍କା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ସହ କଥାବର୍ତ୍ତା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ ଏବଂ କୁସ୍ତିଯୋଦ୍ଧାଙ୍କ ଲଢେଇରେ ସବୁପ୍ରକାର ସମର୍ଥନ ଦେବାକୁ ଆଶ୍ବାସନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Wrestlers vs Brij Bhushan: 'ଆମ ଲଢେଇ WFI ମୁଖ୍ୟଙ୍କ ବିରୋଧରେ, ସରକାରଙ୍କ ସହ ନୁହେଁ'

କୁସ୍ତିଯୋଦ୍ଧାମାନେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ତାଙ୍କର ଗିରଫଦାରୀ ଦାବି କରୁଛନ୍ତି । ସେମାନଙ୍କ କହିବା କଥା, ଯୌନ ଶୋଷଣ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ବିବାଦ ମଧ୍ୟରେ ଯେତେବେଳେ ବ୍ରିଜଭୂଷଣର ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ନିର୍ବାଚିତ ହେଲେ, ଏହାକୁ ବିରୋଧ କରି ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ପୁରସ୍କାର କର୍ତ୍ତବ୍ୟପଥର ଫୁଟଫାଥ୍‌ରେ ଛାଡି ଆସିଥିଲେ ।

ପୁନିଆଙ୍କ ପରେ କୁସ୍ତିଯୋଦ୍ଧା ବିନେଶ ଫୋଗଟ ନିଜର ଅର୍ଜୁନ ଏବଂ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ପୁରସ୍କାର ଫେରାଇବାକୁ ଘୋଷଣା କଲେ । ଏସବୁ ଭିତରେ କୁସ୍ତିଯୋଦ୍ଧାଙ୍କ ସହ କଂଗ୍ରେସ ନେତାମାନଙ୍କ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମେ ଦୀପେନ୍ଦ୍ର ହୁଡ୍ଡା ଏବଂ ଭୂପେନ୍ଦ୍ର ହୁଡ୍ଡା କୁସ୍ତିଯୋଦ୍ଧାଙ୍କୁ ଭେଟିଥିଲେ । ଏହାପରେ ପ୍ରିୟଙ୍କା ଗାନ୍ଧୀ ଏବଂ ଏବେ ରାହୁଲ ମଧ୍ୟ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2023, 10:54 AM IST

ABOUT THE AUTHOR

...view details