ରାୟପୁର:ପାଖେ ଆସୁଛି ଛତିଶଗଡ ନିର୍ବାଚନ। ଭୋଟ ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇୟାଇଛି ପ୍ରତିଦ୍ବନ୍ଦିତା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶୃତି ଦେଇଛନ୍ତି ନେତା । ନିର୍ବାଚନକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ଛତିଶଗଡ ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଭାନୁପ୍ରତାପୁରରେ ପହଞ୍ଚି ବଡ଼ ଘୋଷଣା କରିଛନ୍ତି ରାହୁଲ । ଯଦି ଛତିଶଗଡ଼ରେ କଂଗ୍ରେସ ପୁଣି ଥରେ ସରକାର ଗଠନ କରେ ତେବେ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିବେ । ଛତିଶଗଡ଼ର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ କରାଯିବ । ଏଥିପାଇଁ କାହାକୁ ବି ଏକ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ରାହୁଲ ।
ଏଥିସହ ବିଜେପିକୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ, ଛତିଶଗଡ଼, ହିନ୍ଦୀ ଏବଂ ଇଂରାଜୀ ଏହି ତିନୋଟି ଭାଷା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବିଜେପି ନେତାମାନେ 24 ଘଣ୍ଟା ହିନ୍ଦୀ କୁହନ୍ତି ଓ ନିଜ ପିଲାମାନଙ୍କୁ ଇଂରାଜୀ ବିଦ୍ୟାଳୟରେ ପାଠ ପଢାଇଥାନ୍ତି । ଆମେ ଇଂରାଜୀ ବିଦ୍ୟାଳୟ ଖୋଲିଛୁ ଯାହାଦ୍ବାରା ଗରିବ ପିଲାମାନେ ମଧ୍ୟ ଇଂରାଜୀରେ ପାଠ ପଢ଼ି ପାରିବେ । ସମସ୍ତେ ପଢିବାର ସୁଯୋଗ ପାଆନ୍ତୁ ଓ ଆଗକୁ ବଢନ୍ତୁ । ତେଣୁ ଦ୍ୱିତୀୟ ଥର କଂଗ୍ରେସ ଛତିଶଗଡ଼ରେ ସରକାର ଗଠନରେ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ।
ଏହା ମଧ୍ୟ ପଢନ୍ତୁ-Chhattisgarh: କ୍ଷମତାରେ ରହିଲେ କୃଷକଙ୍କ ଋଣ ଛାଡ ଘୋଷଣା କଲେ ବଘେଲ
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ଅଭିଯୋଗ:ଭାନୁପ୍ରତାପୁରରେ ରାହୁଲ ଗାନ୍ଧୀ ସମ୍ବୋଧନ କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ବି କରନ୍ତି, ସେ କେବଳ ଆଦାନୀ ଜୀଙ୍କ ପାଇଁ କରନ୍ତି । କଂଗ୍ରେସ ଯାହା ବି କରେ ତାହା ଦେଶ ପାଇଁ କରେ । ଗରିବ, କୃଷକ ଏବଂ ମହିଳାଙ୍କ ପାଇଁ କରେ । କୃଷକମାନଙ୍କ ନିକଟକୁ ଯେଉଁ ଟଙ୍କା ଆସିଥାଏ, ସେଥିରେ ଗ୍ରାମୀଣ ଅର୍ଥନୀତି ବୃଦ୍ଧି ହୁଏ । ଆମେ କୃଷକମାନଙ୍କୁ ଯେଉଁ ଟଙ୍କା ଦେଉଛେ ପିଏମ ମୋଦି ସେହି ଟଙ୍କା ଆଦାନୀଙ୍କୁ ଦିଅନ୍ତି । ଆଦାନୀ ଆମ ଦେଶର ଗରିବ ଲୋକଙ୍କ ଟଙ୍କା ନେଇ ବିଦେଶରେ ଘର କିଣୁଛନ୍ତି ।
ଅନ୍ୟପଟେ ରାହୁଲଙ୍କୁ ନିର୍ବାଚନୀ ପ୍ରତିଶୃତି ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା ଅରୁଣ ସାଓ । ଗତ ନିର୍ବାଚନରେ କଂଗ୍ରେସ ଭୋଟରଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହାର ପ୍ରଥମେ ଜବାବ ଦିଅନ୍ତୁ ବୋଲି ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି । ଛତିଶଗଡ଼ରେ 200 ଫୁଡ ପ୍ରୋସେସି୍ଂ ଫ୍ଲାଣ୍ଟ କେଉଁଠି ଅଛି, ନସ୍କଲ୍ ପ୍ରଭାବିତ ପ୍ରତି ପଞ୍ଚାୟତୁ କାହିଁକି ଏକ କୋଟି ଲେଖାଏଁ ଦିଆଗଲା ନାହିଁ ? ମଦ ନିଷେଧ କାହିଁକି କାର୍ଯ୍ୟକାରୀ ହେଲା ନାହିଁ ? ସମସ୍ତଙ୍କୁ ମାଗଣାରେ ଚାରୋଟି ଗ୍ୟାସ ସିଲିଣ୍ଡର କାହିଁକି ଦିଆଗଲା ନାହିଁ ? ମହିଳାଙ୍କୁ 1500 ଟଙ୍କା ପେନସନ ଦିଆଯିବ ବୋଲି କଂଗ୍ରେସ କହିଥିଲା ତାହା କୁଆଡ଼େ ଗଲା ବୋଲି ବିଜେପି ନେତା ରାହୁଲଙ୍କୁ ଉତ୍ତର ମାଗିଛନ୍ତି ।