ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗ ପୁଣି ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନ ନୋଟିସ ଜାରି କରିଛି । ନିକଟରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ ନାଁ ନନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ପନୌତି’ ଶବ୍ଦ ବ୍ୟବହାର କରି କଟାକ୍ଷ କରିଥିଲେ । ଏହା ପୂର୍ବରୁ ସେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ‘ପକେଟମାର’ ଶବ୍ଦ ମଧ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ଏନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲା । ଆଜି ରାହୁଲଙ୍କୁ ଆୟୋଗ ଏକ ନୋଟିସ ଜାରି କରିଛନ୍ତି । 25 ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । 21 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରିକେଟ ବିଶ୍ବକପରେ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ ଟାର୍ଗେଟ କରିଥିଲେ । ଫାଇନାଲ ମ୍ୟାଚରେ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ସେ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ‘ପନୌତି’ (ଅଶୁଭ ବ୍ୟକ୍ତି) ବୋଲି କହି ଭାରତର ପରାଜୟର କାରଣ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ରାଜସ୍ଥାନର ଜାଲୋରେ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଉପସ୍ଥିତ ଜନତା ପନୌତି... ପନୌତି ନାରା ଦେଇଥିଲେ । ତେବେ ରାହୁଲ ମଧ୍ୟ ଏହି ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ଅବସର ଛାଡି ନଥିଲେ । କହିଥିଲେ, ‘‘ ଆମ ଖେଳାଳି ବିଶ୍ବକପ ଜିତି ଯାଇଥାଆନ୍ତେ, ମାତ୍ର ପନୌତି (ଅଶୁଭ ବ୍ୟକ୍ତି) ମ୍ୟାଚ୍ ହାରାଇ ଦେଲା । କିନ୍ତୁ ଟିଭି ଓ୍ବାଲା ଏକଥା କହିବେ ନାହିଁ । ମାତ୍ର ଜନତା ଜାଣିଛନ୍ତି ।’’ ଏହି କଟାକ୍ଷ ସହ ରାହୁଲ ପୁଣି ତାଙ୍କ ପୂର୍ବ ପ୍ରସଙ୍ଗକୁ ଫେରିଥିଲେ । ଏହା ପୂର୍ବରୁ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ଟାର୍ଗେଟ କରି ପକେଟ ମାର ବୋଲି କହିଥିଲେ । ଉଭୟ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବା ସହ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।