ଗୌହାଟୀ:କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ଭାରତରେ ଝଡ ଉଠିଛି । ଭାରତୀୟ ଜନତା ପାର୍ଟି ନେତାମାନେ ରାହୁଲଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, କଂଗ୍ରେସ ନେତା ବିଦେଶ ମାଟିରେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ଦେଶକୁ ବଦନାମ କରିବାର ଅପଚେଷ୍ଟା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ତାଙ୍କର ବୟାନକୁ ମିଥ୍ୟା ବୋଲି କହିଛନ୍ତି । ଭାରତକୁ ବଦନାମ କରିବାକୁ କଂଗ୍ରେସରେ ଏଭଳି ମନୋଭାବ ସେମାନଙ୍କ ପତନର କାରଣ ବୋଲି ସେ କହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବିଦେଶ ଏଜେଣ୍ଟମାନେ ଆମକୁ ଟାର୍ଗେଟ କରୁଥିଲେ । ଏବେ ଆମର ନିଜ ଲୋକମାନେ ବିଦେଶ ମାଟିରେ ଆମକୁ ବଦନାମ କରୁଛନ୍ତି । କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆଳରେ ବିଦେଶରେ ଭାରତକୁ ବଦନାମ କରିବାର ଅପଚେଷ୍ଟା ବ୍ୟତୀତ ଅନ୍ୟ କିଛି ନୁହେଁ ।