ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ଥର ପ୍ରଶ୍ନ କରାଯାଇଛି । କିନ୍ତୁ ଆଜି(ଗୁରୁବାର) ଏଭଳି ପ୍ରଶ୍ନର ସେ ଉତ୍ତର ରଖିଛନ୍ତି । ନିଜର ଜୀବନ ସାଥି କିପରି ହେବେ ସନେଇ ମୁହଁ ଖୋଲିଛନ୍ତି ରାହୁଲ । ଯେଉଁ ଝିଅ ପାଖରେ ମାଆ ସୋନିଆ ଗାନ୍ଧୀ ଓ ଜେଜେ ମାଆ ଇନ୍ଦିରା ଗାନ୍ଧୀଙ୍କ ଭଳି ଗୁଣ ଥିବ ତାଙ୍କୁ ଜୀବନ ସାଥି କରିବେ ବୋଲି କହିଛନ୍ତି ରାହୁଲ । ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଉଥିବା ବେଳେ ଏପରି କହିଛନ୍ତି ରାହୁଲ ଗାନ୍ଧୀ ।
ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏଥିରେ ରାହୁଲଙ୍କୁ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ସେ କହିଥିଲେ,"ମୋ ଜେଜେ ମାଆ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୋ ଜୀବନର ପ୍ରଥମ ପ୍ରେମ । ମୋର ଦ୍ବିତୀୟ ପ୍ରେମ ହେଉଛନ୍ତି ମୋ ମାଆ । ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆପଣ ଜେଜେ ମାଆଙ୍କ ପରି ମହିଳାଙ୍କୁ ଜୀବନ ସାଥି କରିବେ କି, ଏହାର ଉତ୍ତରରେ ସେ କହିଥିଲେ, "ଏହା ଏକ ମଜାଦାର ପ୍ରଶ୍ନ, ମୁଁ ଯାହାକୁ ବି ପସନ୍ଦ କରି ପାରିବି । ମୋର କୌଣସି ଆପତ୍ତି ନାହିଁ । ପ୍ରତ୍ୟେକଙ୍କ ପାଖରେ ଭଲ ଗୁଣ ଥିବ ନିଶ୍ଚିତ । କିନ୍ତୁ ଝିଅଟି ପାଖରେ ମୋ ମାଆ ଓ ଜେଜେ ମାଆଙ୍କ ଭଳି ଗୁଣ ଥିବା ଦରକାର ।