ଚେନ୍ନାଇ: ପାଖେଇ ଆସୁଛି ତାମିଲନାଡୁ ବିଧାନସଭା ନିର୍ବାଚନ । କ୍ଷମତା ଦଖଲ କରିବା ପାଇଁ ଆରମ୍ଭ ହୋଇଯାଇଛି କସରତ । କଂଗ୍ରେସ ଡିଏମକେକୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ବସିଥିବାବେଳେ ବିଜେପି ଏଆଇଏଡିଏମକେ ସହ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଆସି ରାଜ୍ୟର ଏଆଇଡଏଡିଏମକେ ସରକାର ଓ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ।
କେନ୍ଦ୍ର ସରକାରକୁ ଟାର୍ଗେଟ କରିବା ସହ ଭାଷା କାର୍ଡ ଖେଳି ଜନତାଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ଗୋଟିଏ ଭାଷା, ଗୋଟିଏ ସଂସ୍କୃତି ଓ ଗୋଟିଏ ଦେଶ କଥା କହୁଥିବା ଦର୍ଶାଇବା ସହ ତାମିଲ ଭାରତୀୟ ଭାଷା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ କଣ ତାମିଲ ଇତିହାସ ଭାରତୀୟ ଇତିହାସ ନୁହେଁ ବୋଲି ମଧ୍ୟ ସେ ପ୍ରଶ୍ନ ପଚାରିଛନ୍ତି ।
ସେହିପରି ସମସ୍ତ ଅଣ ବିଜେପି ଶାସିତ ରାଜ୍ୟରେ କେନ୍ଦ୍ର ସରକାର ଇଡି ଓ ସିବିଆଇର ଭୟ ଦେଖାଉଛନ୍ତି । କିନ୍ତୁ ତାମିଲନାଡୁରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ହେଉନାହିଁ । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ କଣ ଦେଇଛନ୍ତି । ଏହା ମୁଖ୍ୟ ପ୍ରଶ୍ନ ବୋଲି ମଧ୍ୟ ରାହୁଲ କହିଛନ୍ତି ।