ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଲୋଚନାର ଆଜି ଦ୍ବିତୀୟ ଦିନ । ସାଂସଦ ପଦ ଫେରି ପାଇବା ପରେ ରାହୁଲ ଗାନ୍ଧୀ ଆଜି ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରି କହିଛନ୍ତି, ''କିଛି ଦିନ ତଳେ ମୁଁ ମଣିପୁର ଯାଇଥିଲି । ଆଜି ଯାଏଁ ପ୍ରଧାନମନ୍ତ୍ରୀ ସେଠାକୁ ଯାଇନାହାନ୍ତି । କାରଣ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ । ଏମାନେ ମଣିପୁରରେ ଭାରତର ହତ୍ୟା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇପାରିବେ ନାହିଁ । ଏମାନେ ଭାରତମାତାର ରକ୍ଷକ ନୁହଁନ୍ତି ବରଂ ହତ୍ୟାକାରୀ ।''
ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି:ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଦେଶଦ୍ରୋହୀ ବୋଲି ସମ୍ବୋଧନ କରି କହିଛନ୍ତି ଯେ, ମଣିପୁରକୁ ଭାଗ ଭାଗ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମଣିପୁର ଯାଉନାହାନ୍ତି । କାରଣ ମଣିପୁର ଭାରତର ନୁହେଁ ବୋଲି ସେ ଭାବୁଛନ୍ତି । ମୁଁ ମଣିପୁରର ରିଲିଫ କ୍ୟାମ୍ପକୁ ଯାଇ ମହିଳାଙ୍କ ସହ କଥା ହୋଇଛି । କେବଳ ଦୁଇ ଜଣ ମହିଳାଙ୍କ ଉଦାହରଣ ଦେଇ ରାହୁଲ କହିଛନ୍ତି, ଜଣେ ମହିଳାଙ୍କ ପୁଅକୁ ତାଙ୍କର ଆଖି ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଅନ୍ୟ ଜଣେ ମହିଳା ତାଙ୍କୁ ନିଜର ଦୁଃଖ ବଖାଣିବା ସମୟରେ ଅଚେତ ହୋଇଯାଇଥିଲେ । ଆପଣ ମଣିପୁରରେ ହିନ୍ଦୁସ୍ଥାନର ହତ୍ୟା କରିଛନ୍ତି । ଆପଣ ମୋ ମାଆକୁ ହତ୍ୟା କରିଛନ୍ତି । ଭାରତର ସ୍ବରକୁ ମଣିପୁରରେ ମାରିଛନ୍ତି । ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଫେରାଇ ଆଣିପାରିବେ । ହେଲେ ସେନାକୁ ନିୟୋଜିତ କରାଯାଉନାହିଁ ।