ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ହେଲେ ଏଥର ନିଜ ଜନ୍ମଦିନ ପାଳିବେନି ରାହୁଲ । ତାଙ୍କ ଜନ୍ମଦିନ ପାଳନ ନ କରିବାକୁ ସେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଶୁଭ ଚିନ୍ତକମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରାକରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଯୁବଗୋଷ୍ଠୀ ଏହି ଚୁକ୍ତିଭିତ୍ତିକ ଯୋଜନାକୁ ବିରୋଧ କରି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ଏପରି ସ୍ଥିତିରେ ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ନ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି କଂଗ୍ରେସ ନେତା । ଏଥିସହ ରାହୁଲ ବିକ୍ଷୋଭକାରୀ ଯୁବ ଆଶାୟୀଙ୍କୁ ସମର୍ଥନ କରିବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି । ସର୍ବଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଟ୍ବିଟରରେ ଏହି ବାର୍ତ୍ତା ପୋଷ୍ଟ କରାଯାଇଛି ।
କଂଗ୍ରେସ ମହାସଚିବ ଜୟରାମ ରମେଶ ଏହାକୁ ପୋଷ୍ଟ କରିଛନ୍ତି । ଏଥିରେ ରାହୁଲ କହିଛନ୍ତି, "ବର୍ତ୍ତମାନ ଦେଶର ମାହୋଲ ଖୁବ୍ ଚିନ୍ତାଜନକ । ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଆମେ ସମସ୍ତେ ଚିନ୍ତିତ । କୋଟି କୋଟି ଯୁବକ ଦୁଃଖିତ ଅଛନ୍ତି । ସେହି ଯୁବଗୋଷ୍ଠୀ ଏବଂ ତାଙ୍କ ପରିବାର ସହ କଂଗ୍ରେସ କାର୍ଯ୍ୟକର୍ତ୍ତା ଛିଡା ହୁଅନ୍ତୁ ଏବଂ ସେମାନଙ୍କ ଦୁଃଖ ବୁଝନ୍ତୁ । ଏଥିସହ ସାରା ଦେଶରେ ଥିବା କଂଗ୍ରେସ କର୍ମୀ ଏବଂ ଶୁଭଚିନ୍ତକ ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ପାଳନ ନ କରନ୍ତୁ ।"
ଉଲ୍ଲେଖଯୋଗ୍ୟ, ଅଗ୍ନିପଥ ଯୋଜନା ବିରୁଦ୍ଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ବିକ୍ଷୋଭକୁ ସମର୍ଥନ ଜଣାଇଛି କଂଗ୍ରେସ । ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାର କୃଷି ଆଇ ଭଳି ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏଥିସହ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର । ଗତ ୮ ବର୍ଷ ହେଲା ବିଜେପି ସରକାର ଜୟ ଯବାନ, ଜୟ କିଷାନର ମୂଲ୍ୟକୁ ଅପମାନିତ କରି ଆସିଛନ୍ତି ବୋଲି ରାହୁଲ କହିଛନ୍ତି ।