ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଦଳର ଦୁଇ ରାଜ୍ୟସଭା ସାଂସଦଙ୍କ ନାମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଉଲ୍ଲେଖ ହୋଇଥିବା ସୂଚନା ମିଳିଛି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ରାଘବ ଚଡ୍ଡାଙ୍କ ନାମ ଇଡି ଦାଖଲ କରିଥିବା ଅନ୍ତରୀଣ ଚାର୍ଜସିଟରେ ଅଭିଯୁକ୍ତ ନୁହେଁ ବରଂ ସାକ୍ଷ ଭାବେ ରହିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଏହି ସୂଚନାକୁ ନିଜେ ରାଘବ ଚଡ୍ଡା ଖଣ୍ଡନ କରିଛନ୍ତି । ତାଙ୍କ ନାମ କୌଣସି ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ଅଭିଯୁକ୍ତ କିମ୍ବା ସାକ୍ଷୀ ଭାବେ ଉଲ୍ଲେଖ କରାଯାଇନାହିଁ । ଅପରାହ୍ନରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ମିଥ୍ୟା ବୋଲି ରାଘବ କହିଛନ୍ତି ।
ଆଜି ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଆଉ ଏକ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଛି । ଏଥିରେ ଦଳର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା, ସଞ୍ଜୟ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏହାପୂର୍ବରୁ, ଏପ୍ରିଲ୍ 25ରେ ସିବିଆଇ ମନୀଷ ସିସୋଦିଆଙ୍କ ସମେତ 4 ଜଣଙ୍କ ବିରୋଧରେ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ମନୀଷ ସିସୋଦିଆ, ଅମନଦୀପ ସିଂ, ବୁଚି ବାବୁ ଏବଂ ଅର୍ଜୁନ ପାଣ୍ଡେଙ୍କ ନାମ ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ ଥିଲା ।