ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଅନ୍ତିମ କାର୍ଯ୍ୟ ଦିବସରେ ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ପୂର୍ବ ପ୍ରୋଫାଇଲରେ ସଂସଦର ସଦସ୍ୟ (ସାଂସଦ) ଉଲ୍ଲେଖ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ କରି ଚଢା ଲେଖିଛନ୍ତି ‘ନିଲମ୍ବିତ ସାଂସଦ’ । ଗତକାଲି (ଶୁକ୍ରବାର) ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା ।
ନକଲି ହସ୍ତାକ୍ଷର ମାମଲାରେ ରାଘବଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି (ଶୁକ୍ରାବାର) ନିଲମ୍ବନ କରିଛନ୍ତି । ଏହି ନିଲମ୍ବିତ ଆଦେଶ ସହ ଚଢାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି । ଏହାକୁ ସଂସଦର ସ୍ବାଧୀକାର କମିଟିକୁ ମଧ୍ୟ ପଠାଯାଇଛି । କମିଟି ରିପୋର୍ଟ ନଦେବା ପର୍ଯ୍ୟନ୍ତ ସାଂସଦ ଚଢାଙ୍କ ନିଲମ୍ବିତ ଆଦେଶ ବଳବତ୍ତର ରହିବ । ଏହା ପୂର୍ବରୁ ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ସାଂସଦ ସଞ୍ଜୟ ସିଂ ମଧ୍ୟ ନିଲମ୍ବିତ ହୋଇଥିଲେ । ଦିଲ୍ଲୀ ଅଧ୍ଯାଦେଶ ବିଲ୍ ଆସିବା ପୂର୍ବରୁ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ନାରାବାଜୀ କରିଥିଲେ ସଞ୍ଜୟ ।
ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପରେ ରାଘବ କହିଛନ୍ତି, ‘‘ରାଜ୍ୟସଭାରୁ ମୋର ନିଲମ୍ବନ ଆଜି ଯୁବପିଢି ପଇଁ ଏକ ଦୃଢ ବାର୍ତ୍ତା । ଭାରତୀୟ ଜନତା ପାର୍ଟି ମତେ ନିଲମ୍ବିତ କରି ଏହା ଦର୍ଶାଇବାକୁ ପ୍ରୟାସ କରିଛି ଯେ, ଯଦି ଆପଣ ଏପରି ପ୍ରଶ୍ନ କରିବାର ସାହସ କରିବେ, ତେବେ ଏପରି ଅବସ୍ଥାର ସାମ୍ନା କରିବେ । ସଦନରେ ମୋର ଭାଷଣ ସମୟରେ କଠୋର ପ୍ରଶ୍ନ ପଚାରିବାରୁ ମୋତେ ନିଲମ୍ବିତ କରାଯାଇଛି । କାରଣ ନିଜକୁ ବିଶ୍ବର ସର୍ବବୃହତ୍ତ ଦଳ କହୁଥିବା ଭାରତୀୟ ଜନତା ପାର୍ଟି ନିକଟରେ ମୋର ପ୍ରଶ୍ନର କୌଣସି ଉତ୍ତର ନଥିଲା । ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦେବା ପାଇଁ ସେମାନଙ୍କୁ ବାଜପେୟୀ ଓ ଆଡଭାନୀଙ୍କ ବିଚାରଧାରାକୁ ଅନୁସରଣ କରିବା ପାଇଁ କୁହାଯାଇଥିଲା । ସେମାନେ ସେସବୁ ଭୁଲି ଯାଇଛନ୍ତି ।’’