ନୂଆଦିଲ୍ଲୀ:ରାଜ୍ୟସଭାରେ ଆମ ଆଦମୀ ପାର୍ଟି (AAP)ର ଫ୍ଲୋର ଲିଡର ହେଲେ ଯୁବ ସାଂସଦ ରାଘବ ଚଢା । ପୂର୍ବରୁ ଏହି ଦାୟିତ୍ବରେ ଦଳର ଅନ୍ଯତମ ବରିଷ୍ଠ ନେତା ସଞ୍ଜୟ ସିଂ ରହିଥିଲେ । ସେ ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ମନିଲଣ୍ଡ୍ରିଂ ଆକ୍ଟରେ ଗିରଫ ହୋଇ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ତାଙ୍କ ସ୍ଥାନରେ ଯୁବ ସାଂସଦ ରାଘବ ଚଢାକୁ ଦଳ ଦାୟିତ୍ବ ଦେଇଛି । ଚଳିତ ଶୀତ ଅଧିବେଶନରେ ସାଂସଦ ରାଘବ ଚଢାଙ୍କ ଉପରୁ ନିଲମ୍ବନ ହଟାଇଥିଲେ ଉପରାଷ୍ଟ୍ରପତି ।
ଦଳ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ, ସଞ୍ଜୟ ସିଂଙ୍କ ଅନୁପସ୍ଥିତିରେ ରାଘବ ରାଜ୍ୟସଭାରେ ଦଳର ନେତା ଭାବେ ଚୟନ ହୋଇଛନ୍ତି । ସଞ୍ଜୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥିବା ଦଳ ଚିଠିରେ ଉଲ୍ଲେଖ କରିଛି । ତେବେ ରାଜ୍ୟସଭା ସଚିବାଳୟ ଆମ ଆଦମୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ଚିଠିକୁ ଗ୍ରହଣ କରିଛନ୍ତି ।
ରାଜ୍ୟସଭାରେ 4ର୍ଥ ବୃହତ୍ତମ ଦଳ AAP:-
ଉଚ୍ଚସଦନ ରାଜ୍ୟସଭାରେ ଆମ ଆଦମୀ ପାର୍ଟି (ଆପ)ର 10 ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାଘବ ଚଢା ସର୍ବକନିଷ୍ଠ ସାଂସଦ । କେବଳ ଦଳୀୟ ନୁହେଁ ବରଂ ସମଗ୍ର ଗୃହରେ ତରୁଣ ସାଂସଦମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ରାଘବ । ଆମ ଆଦମୀ ପାର୍ଟି ରାଜ୍ୟସଭାରେ 4ର୍ଥ ବୃହତ୍ତମ ଦଳ । ସଂଖ୍ୟା ଆଧାରରେ ପ୍ରଥମରେ ଶାସକ ବିଜେପି ଥିବା ବେଳେ ଏହା ପଛକୁ କ୍ରମାନ୍ବୟରେ କଂଗ୍ରେସ ଓ ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ରହିଛି । ଏହା ପଛକୁ 10 ସାଂସଦଙ୍କ ସହ 4ର୍ଥ ସ୍ଥାନରେ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି (ଆପ) ରହିଛି ।