ନୂଆଦିଲ୍ଲୀ:ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ରାଜପଥରେ ସାରା ବିଶ୍ବ ଦେଖିଲା ଭାରତର ସାମର୍ଥ୍ୟ । ଭାରତୀୟ ସଶସ୍ତ୍ର ବଳର ଶକ୍ତି ସହ ଦେଶର ସଂସ୍କୃତି ଓ ବିବିଧତାର ଝଲକ ବଖାଣିଛି ପ୍ରଜ୍ଞାପନ ମେଢ । ତେବେ ଭାରତୀୟ ନାରୀ କେତେ ସଶକ୍ତ ଓ ସାମର୍ଥ୍ୟ ବିଶ୍ବକୁ ତାର ଝଲକ ଦେଖାଇଛି ବାୟୁସେନା । ଭାରତୀୟ ବାୟୁସେନା ଦ୍ବାରା ପ୍ରଦର୍ଶିତ ପ୍ରଜ୍ଞାପନ ମେଢରେ ଅଂଶ ଗ୍ରହଣ କରିଛନ୍ତି ବାୟୁସେନାରେ ସଦ୍ୟତମ ସାମିଲ ହୋଇଥିବା ଅତ୍ଯାଧୁନିକ ଲଢୁଆ ବିମାନ ‘ରାଫେଲ’ର ପ୍ରଥମ ମହିଳା ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାନୀ ସିଂ ।
ଶିବାନୀ ସିଂ ହେଉଛନ୍ତି ଏକମାତ୍ର ଦ୍ୱିତୀୟ ମହିଳା ଯୁଦ୍ଧ ବିମାନ ପାଇଲଟ୍ ଯିଏକି ବାୟୁସେନା ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ବାରଣାସୀର ସ୍ଥାନୀୟ ବାସିନ୍ଦା ଶିବାନୀ ୨୦୧୭ ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ତେବେ ସେ ତାଙ୍କ ସର୍ଭିସ କ୍ୟାରିୟର ପ୍ରଥମେ ଲଢୁଆ ବିମାନ ମିଗ ବିମାନର ବାଇସନ ମଡେଲ ଉଡାଇବାରୁ ଆରମ୍ଭ କରିଥିଲେ । ପରେ ସେ ଗୋଲ୍ଡେନ ସ୍କ୍ବାର୍ଡନରେ ମଧ୍ୟ ସାମିଲ ହୋଇ ନିଜ ଉଡାଣ ଦକ୍ଷତାର ପରିଚୟ ଦେଇଥିଲେ ।