ନୂଆଦିଲ୍ଲୀ: ଗତ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗ୍ୟତାକୁ ନେଇ ଟାର୍ଗେଟ କରୁଛି ଆପ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭିନ୍ନ ବିବୃତ୍ତି ଦେଉଥିବା ବେଳେ ଏବେ ଜେଲରେ ରହି ପ୍ରଧାନମନ୍ତ୍ରୀଙ୍କୁ ତେରଛା ବାଣ ମାରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମନୀଷ ସିସୋଦିଆ ଗତକାଲି(ଶୁକ୍ରବାର) ଜେଲରେ ରହି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆପକୁ କଟାକ୍ଷ କରି ବିଜେପି କହିଛି, ବିରୋଧୀ ଜେଲରେ ରହି ମଧ୍ୟ ଘୋଟାଲା କରୁଛନ୍ତି ।
ଚିଠିରେ ମନୀଷ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କମ୍ ଶିକ୍ଷିତ ବୋଲି ବର୍ଣ୍ଣନା କରିବା ସହ ଦେଶ ପାଇଁ ବିପଦ ବୋଲି କହିଥିଲେ । ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପ୍ରକାଶଥାଉ କି, ଗତମାସରେ ମଧ୍ୟ ସିସୋଦିଆ ଜେଲରେ ରହି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକ ଚିଠି ଲେଖିଥିଲେ । ସେହି ଚିଠି ମଧ୍ୟ ଭାଇରାଲ ହୋଇଥିଲା । ତେବେ ଦୁଇଟିଯାକ ଚିଠି ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିବା ଦର୍ଶାଇ ଆପକୁ ଟାର୍ଗେଟ କରିଛି ବିଜେପି । ଆମ୍ ଆଦମୀ ଦଳର ନେତାମାନେ ଜେଲରେ ଥିବାବେଳେ ଚିଠି ଲେଖିବାରେ ମଧ୍ୟ ଘୋଟାଲା କରୁଥିବା ଅନେକ ବିଜେପି ନେତା ବୟାନରେ କହିଛନ୍ତି ।
ଏନେଇ ବିଜେପି ନେତା ତଥା ଅନ୍ତର୍ଜାତୀୟ ପୁରସ୍କାର ବିଜେତା ସୁରେନ୍ଦ୍ର ପୁନିଆ ଟ୍ବିଟ କରି କହିଛନ୍ତି, " କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶରେ ହିଁ ମନୀଷ ସିସୋଦିଆ ଜେଲରେ ରହି ଏଭଳି ଚିଠି ଲେଖୁଛନ୍ତି । ସିସୋଦିଆ ମୋଦିଙ୍କୁ ଟାର୍ଗେଟ କରିବା ପଛରେ କେଜ୍ରିୱାଲଙ୍କ ହାତ ରହିଛି । ମୋଦି ବିଏ ପରେ ଏମଏ କରିଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ କେବଳ ଦ୍ବାଦଶ ପାସ କରିବା ପରେ ଡିପ୍ଲୋମା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଦ୍ବାଦଶ ପାସ କରିଛନ୍ତି । ସେ ପୁଣି ୩ଟି ପ୍ରୟାସରେ ପାସ କରିବାରେ ସଫଳ ହୋଇଛନ୍ତି । ଆପ୍ ମୁହଁ ଉପରକୁ କରି ଛେପ ପକାଇଛି, ତାହା ନିଜ ଉପରେ ହିଁ ପଡିବ । ଚିଠିକୁ କିଏ ଲେଖୁଛି ? ଦୁଇଟି ଚିଠିର ହସ୍ତଲିଖନ ମଧ୍ୟ ସମାନ ନୁହେଁ ।"