ହାଇଦ୍ରାବାଦ:ପାକିସ୍ତାନରୁ ପଞ୍ଜାବକୁ ନିୟମିତ ଡ୍ରୋନ ଯୋଗେ ଆସୁଛି ହେରୋଇନ (BSF seized drone with heroin) । ନିକଟରେ ଏକ ଡ୍ରୋନକୁ ଭାରତୀୟ ସୀମା ସୁରକ୍ଷା ବଳର ଯବାନ ଗୁଳି କରି ଖସାଇବା ପରେ ହେରୋଇନ ଜବତ ହୋଇଥିଲା । ଗତକାଲି ମଧ୍ୟ ସାମାନ ଘଟଣା ପୁଣି ସାମ୍ନାକୁ ଆସିଛି । ଏବେ ସୀମାପାର ଆତଙ୍କବାଦ ପରି ସୀମାପାର ନିଶା କାରବାର ମଧ୍ୟ ପୋଲିସର ଚିନ୍ତା ବଢାଇଛି । ଗତକାଲି (ରବିବାର) ଅମୃତସର ଜିଲ୍ଲାର ଏକ ସୀମାନ୍ତ ଗ୍ରାମ ରୋରାନଓ୍ବାଲାରେ ଏକ ଚାଷ ଜମିରୁ ଠାବ ହୋଇଥିବା ଅଜଣା ଡ୍ରୋନରୁ ଏକ ପକେଟ ହେରୋଇନ ଜବତ କରିଛି ବିଏସଏଫ ।
ଗତକାଲି ରାତିରେ ଗ୍ରାମରେ ଅଜଣା ଡ୍ରୋନ ଗତିବିଧି ନେଇ ଗ୍ରାମବାସୀଙ୍କ ସୂଚନା ପାଇବା ପରେ ବିଏସଏଫ ଯବାନ ଗୁଳି ଚଳାଇ ଉକ୍ତ ଡ୍ରୋନକୁ ଖସାଇ ଦେଇଥିଲେ । ପରେ ଯାଞ୍ଚ ବେଳେ ସେଥିରୁ ଏକ ହେରୋଇନର ପକେଟ ଜବତ କରାଯାଇଛି । ଡ୍ରୋନଟି ପାକସ୍ତାନ ପଟୁ ଆସିଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀଙ୍କୁ ସଚେତନ ରହିବା ପାଇଁ ପୋଲିସ ଓ ସୀମା ସୁରକ୍ଷା ବଳ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୁପ୍ତଚରି କରିବା ପାଇଁ ଡ୍ରୋନ ପଠାଉଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ସୀମାପାର ନିଶା କାରବାର ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସର ଚିନ୍ତା ବଢିଛି । ନିଶା କାରବାରରେ ସ୍ଥାନୀୟ ଅଞ୍ଚଳର କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।