ଶ୍ରୀନଗର:ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଭାରତ ଇସ୍ରାଏଲ ସପକ୍ଷରେ ନିଜ ଆଭିମୁଖ୍ୟ ରଖିଛି । ଏହି ପ୍ରସଙ୍ଗରେ ପ୍ରାୟ ସମସ୍ତ ଆରବ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । ପଶ୍ଚିମ ରାଷ୍ଟ୍ରମାନେ ଇସ୍ରାଏଲକୁ ସମର୍ଥନ ଓ ସହଯୋଗ ଜାରି ରଖିଛନ୍ତି । ଭାରତ ମଧ୍ୟ ଇସ୍ରାଏଲ ସପକ୍ଷରେ ରହିଛି । ଏହି କାରଣ ପାଇଁ ଅନ୍ୟତମ ଆରବ ରାଷ୍ଟ୍ର କତାର ମଧ୍ୟ ଭାରତ ଉପରେ କ୍ଷୁବ୍ଧ ହୋଇଥାଇପାରେ । ଏହି କାରଣରୁ କତାର 8 ଭାରତୀୟ ପୂର୍ବ ନୌସେନା ଅଧିକାରୀଙ୍କୁ ଏତେ ତରବରିଆ ଭାବେ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ।
ଆଜି ଏହି ପ୍ରସଙ୍ଗରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଫାରୁକ କହିଛନ୍ତି, ଏହି ମାମଲା ପୂର୍ବରୁ ବିଚାରଧୀନ ରହିଥିଲା । ମାତ୍ର କତାର ହଠାତ ଏଥିରେ ତତ୍ପରତା ପ୍ରକାଶ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଲା । ଏହା ଇସ୍ରାଏଲ ପାଲେଷ୍ଟାଇନ ମାମଲାରେ ଭାରତର ଆଭିମୁଖ୍ୟ କାରଣରୁ ହୋଇଥାଇପାରେ । ଏବେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତିରେ ଭାରତ ଇସ୍ରାଏଲ ସହ ବନ୍ଧୁତା ବଜାୟ ରଖିବାକୁ ଯାଇ ସମର୍ଥନ ଘୋଷଣା କରିଛି । ପାଲେଷ୍ଟାଇନ କ୍ଷେତ୍ରରେ ମଧ୍ୟ ସାମାନ୍ୟ ଅନୁକମ୍ପାମୂଳକ ଆଭିମୁଖ୍ୟ ଗ୍ରହଣ କରୁଛି । ଏପରିକି 27 ତାରିଖରେ ଭାରତ ଜାତିସଂଘ ମହାସଭାରେ ଆଗତ ଅସ୍ତ୍ରବିରତି ଭୋଟିଂରେ ମଧ୍ୟ ଅଂଶଗ୍ରହଣ କଲା ନାହିଁ । ତେଣୁ ଭାରତର ଏହି ଆଭିମୁଖ୍ୟ ପାଇଁ କତାର କ୍ଷୁବ୍ଧ ହୋଇଥାଇପାରେ । ଫଳସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ତେବେ ଜାତିସଂଘରେ ଭାରତର ଭୋଟ ବର୍ଜନ ନିଷ୍ପତ୍ତିକୁ ମଧ୍ୟ ଫାରୁକ ସମାଲୋଚନା କରିଛନ୍ତି । ଜାତିସଂଘ ଦ୍ବାରା ଆଗତ ଅସ୍ତ୍ରବିରତ ପ୍ରସ୍ତାବରେ ଭୋଟ ନଦେବା ଠିକ କାର୍ଯ୍ୟ ନଥିଲା । ଏହା ଆରବ ରାଷ୍ଟ୍ରସମୂହଙ୍କୁ ଭଲ ଲାଗିନଥାଇପାରେ ବୋଲି ଫାରୁକ କହିଛନ୍ତି ।