ମସ୍କୋ:ୟୁକ୍ରେନକୁ ୟୁରପୀୟ ରାଷ୍ଟ୍ର ସମୂହଙ୍କ ଠାରୁ ସହୟତା ମିଳି ଚାଲିଥିବା ବେଳେ ଏହାକୁ ନେଇ କ୍ଷୁବ୍ଧ ହୋଇଛି ଋଷ । ନିଜ ଆଭିମୁଖ୍ୟରେ ସିଧା କଠୋରତା ପ୍ରକାଶ କରିଛି । ଅନ୍ୟ କୌଣସି ଦେଶ ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପ୍ରୟାସ କଲେ ଋଷର ପ୍ରତିଆକ୍ରମଣ ପ୍ରଚଣ୍ଡ ହେବ ବୋଲି ରାଷ୍ଟ୍ରପତି ପୁଟିନ ଆଜି ଚରମ ଚେତାବନୀ ଶୁଣାଇଛନ୍ତି । କେବଳ ଏତିକିରେ ଶେଷ ହୋଇନି ପୁଟିନଙ୍କ ରାଗ । ଆକ୍ରମଣ ମଧ୍ୟ ଅତ୍ୟାଧୁନିକ ଓ ଶକ୍ତିଶାଳୀ ଅସ୍ତ୍ରରେ ବିଜୁଳି ବେଗରେ "lightning-speed" ରେ ହେବା ସହ କ୍ଷତି ବ୍ୟାପକ ହେବା ନେଇ ପୁଟିନ ଚତାଇ ଦେଇଛନ୍ତି ।
ଆଜି ଋଷର ଲ-ମେକରମାନଙ୍କୁ ଏକ କାର୍ଯ୍ୟକ୍ରମ ଅବସରରେ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇଥିଲେ ପୁଟିନ । କେତେକ ଦେଶ ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ପ୍ରସଙ୍ଗକୁ ଆହୁରି ଜଟିଳ କରିବାରେ ଲାଗିଛନ୍ତି । ଋଷ ସେମାନଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଋଷ ପାଖରେ ମୁକାବିଲା କରିବା ପାଇଁ ଯଥେଷ୍ଟ ସାଧନ ରହିଛି । କୌଣସି ବାହ୍ୟ ଶକ୍ତି ଏହି ପ୍ରସଙ୍ଗରେ ଋଷକୁ ପରାଜିତ କରିପାରିବେନି । ଯଦି କେହି ରାଷ୍ଟ୍ର ୟୁକ୍ରେନ ପ୍ରସଙ୍ଗରେ ହସ୍ତକ୍ଷେପ କରି ଋଷର ସମସ୍ୟା ବଢାଏ ତେବେ ଋଷ ଅତ୍ୟାଧୁନିକ ଅସ୍ତ୍ରରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ମଧ୍ୟ ତିଳେମାତ୍ର ପଛଘୁଞ୍ଚା ଦେବ ନାହିଁ । ଋଷ କେବଳ ଯୁଦ୍ଧ ଲଢୁନାହିଁ ବରଂ ଏହି ସବୁ ପ୍ରସଙ୍ଗକୁ ମଧ୍ୟ ମୁକାବିଲା କରିବାରେ ସମସ୍ତ ପ୍ରସ୍ତୁତି କରିସାରିଛି ବୋଲି ପୁଟିନ ନିଜ ସମ୍ବୋଧନରେ କହିଛନ୍ତି ।