ହାଇଦ୍ରାବାଦ:ଚଳିତ ବର୍ଷ ଭାରତ ଗସ୍ତ କରିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି 20 ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପୁଟିନ ଭାରତ ଆସିବା ନେଇ ଚର୍ଚ୍ଚା ହେଉଛି । ଗସ୍ତ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିବା ସହ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ହୋଇନଥିବା କ୍ରେମଲିନ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହି ବର୍ଷ ଶେଷ ଭାଗରେ ଜି 20 ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମ ଭାରତରେ ଆୟୋଜିତ ହେବାକୁ ଯାଉଛି । ସମସ୍ତ ଜି 20 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ନୂଆଦିଲ୍ଲୀରେ ଚୂଡାନ୍ତ କାର୍ଯ୍ୟକ୍ରମ ରଖାଯାଇଛି ।
ଋଷ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ, ମସ୍କୋ ସ୍ଥିତ ପୁଟିନ ପ୍ରଶାସନର ମୁଖ୍ୟାଳୟ (କ୍ରେମଲିନ)ର ମୁଖପାତ୍ର ଡିମଟ୍ରି ପେସକୋଭଙ୍କୁ (Dmitry peskov) ପୁଟିନଙ୍କ ଭାରତ ଗସ୍ତ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଭାରତରେ ହେବାକୁ ଥିବା ଶିଖର ସମ୍ମିଳନୀ (ଜି 20) ରେ ପୁଟିନଙ୍କ ଅଂଶଗ୍ରହଣକୁ ବିଚାର କରାଯାଉଛି କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନରେ ମୁଖପାତ୍ର ପେସକୋଭ କହିଛନ୍ତି, ‘‘ପୁଟିନଙ୍କ ଭାରତ ଗସ୍ତ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । କିନ୍ତୁ ଏପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ।’’ ଅନ୍ୟପଟେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପୁଟିନ ଏବେ ବିଦେଶ ଗସ୍ତ କରୁନାହାନ୍ତି । ସେହିକ୍ରମରେ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ ଜି 20 ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଗସ୍ତ କରୁଥିବା ବେଳେ ତାଙ୍କ ଗସ୍ତ ନେଇ ଅନିଶ୍ଚିତତା ଲାଗି ରହିଛି ।
ଅନ୍ୟପଟେ ଭାରତ ସହ ଋଷର ଦୀର୍ଘକାଳୀନ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ଏକାଧିକ ରାଷ୍ଟ୍ର ପ୍ରତ୍ୟେକ୍ଷ ନିନ୍ଦା କରିଥିବା ବେଳେ ଭାରତ ଭାରସାମ୍ୟ ରଖି ଆଭିମୁଖ୍ୟ ଗ୍ରହଣ କରିଥିଲା । ଋଷ ବିରୋଧରେ ମନ୍ତବ୍ୟ ନରଖି ଭାରତ କେବଳ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇ ଦେଶକୁ ପ୍ରସ୍ତାବ ଦେଇଥିଲା । ଅନ୍ୟପଟେ ଏହି ପ୍ରସଙ୍ଗରେ ଜାତିସଂଘରେ ଋଷ ବିରୋଧରେ ଏକାଧିକ ଥର ଭୋଟିଂ ହୋଇଥିବା ବେଳେ ପ୍ରତ୍ୟେକ ଥର ଭାରତ ଏହି ଭୋଟିଂରୁ ବିରତ ରହି ଋଷ ପ୍ରତି ଥିବା ଦୀର୍ଘକାଳୀନ ବନ୍ଧୁତ୍ବର ଭୂମିକା ଲିଭାଇଛି ।