ଚଣ୍ଡିଗଡ:ହତ୍ୟାକାଣ୍ଡର ଶିକାର ହୋଇଥିବା ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି (ମଙ୍ଗଳବାର) ସିଦ୍ଧୁଙ୍କ ପୈତୃକ ଗ୍ରାମ ମାନସା ଜିଲ୍ଲାର ମୋସାରେ ହଜାର ହଜାର ସମର୍ଥକଙ୍କ ଭିଡରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଥିରେ ସିଦ୍ଧୁଙ୍କ ପରବାର ଓ ସମ୍ପର୍କୀୟଙ୍କ ସମେତ ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ ।
ଶେଷକୃତ୍ୟ ସ୍ଥଳରେ ସିଦ୍ଧୁଙ୍କ ବାପାଙ୍କ ସହ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ଓ୍ବାରିଂ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆଜି ପୂର୍ବାହ୍ନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିଦ୍ଧୁଙ୍କ ମୃତଦେହକୁ ତାଙ୍କ ଘରେ ପହଞ୍ଚାଇଥିଲା ପୋଲିସ । ସିଦ୍ଧୁଙ୍କ ଶେଷଯାତ୍ରା ବେଳେ ହଜାର ହଜାର ସମର୍ଥକ ସାମିଲ ହୋଇ ହତ୍ୟାକାରୀକୁ ଫାଶୀ ଦିଅ ବୋଲି ନାରା ଲଗାଇଥିଲେ । ପରେ ସିଦ୍ଧୁ ଚଳାଇବାକୁ ଭଲ ପାଉଥିବା ଏକ ଟ୍ରାକ୍ଟରରେ ମୃତଦେହ ଘରୁ ସତ୍କାରସ୍ଥଳକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ସିଦ୍ଧୁଙ୍କ ପରିବାର ।