ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତାସୀନ କଂଗ୍ରେସକୁ କଡା ଟକ୍କର ଦେବା ପାଇଁ ମୈଦାନରେ କେଜ୍ରୀଓ୍ବାଲଙ୍କ ଆମ ଆଦମୀ ପାର୍ଟି (AAP) । ତେବେ ନିର୍ବାଚନ ମୈଦାନ ଯେତିକି ଉଷ୍ମ ହେବାରେ ଲାଗିଛି, ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି ।
ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ କରିଥିବା ନଜର ଆସିଛନ୍ତି । କେଜ୍ରୀଓ୍ବାଲ ପଞ୍ଜାବବାସୀଙ୍କୁ ମିଥ୍ୟା କହି ପଥଭ୍ରଷ୍ଟ କରିବାକୁ ବସିଛନ୍ତି । ଚଳିତ ନିର୍ବାଚନରେ ପଞ୍ଜାବର ଶାସନ କ୍ଷମତା ହାତେଇବା ପରେ ଦିଲ୍ଲୀରୁ ବସି ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବର ସରକାର ଚଳାଇବାକୁ କେଜ୍ରୀଓ୍ବାଲ ମସୁଧା ରଖିଥିବା କହି ଟାର୍ଗେଟ କରିଛନ୍ତି ସିଦ୍ଧୁ ।
ସିଦ୍ଧୁ କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ ପଞ୍ଜାବବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତାଙ୍କ ଦଳର ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥର ଦଳ ପଞ୍ଜାବରେ ଯେଉଁ ସ୍ବପ୍ନ ଦେଖିଛି ତାହା କେବେ ହେଲେ ସଫଳ ହେବ ନାହିଁ ।