ଚଣ୍ଡିଗଡ: ଜେଲରେ ବନ୍ଦ ଥାଇ ମଧ୍ୟ ଭିଡିଓ କଲରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବା ମାମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାମରେ ମାମଲା ରୁଜୁ ହୋଇଛି । ଡିସେମ୍ବର 23 ତାରିଖରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପଞ୍ଜାବ ପୋଲିସ ଲରେନ୍ସ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି । ମାମଲାର ତଦନ୍ତ କରିବା ପାଇଁ କୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଏହି କମିଟିର ନେତୃତ୍ବ ନେବେ । ମାମଲାର ପରବର୍ତ୍ତୀ ଶୁଣାଣି 10 ତାରିଖରେ ହେବ ।
ବହୁଚର୍ଚ୍ଚିତ 2022 ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଏହା ବ୍ୟତୀତ ତା ବିରୋଧରେ ଅନ୍ୟ ସଙ୍ଗୀନ ଅପରାଧ ସହ ଅଭିନେତା ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦେବା ମାମଲା ମଧ୍ୟ ରହିଛି । ପଞ୍ଜାବର ଭଟିଣ୍ଡା ଜେଲରେ ବନ୍ଦ ଥିବା ଲରେନ୍ସ ଗତବର୍ଷ (2023) ମାର୍ଚ୍ଚ 14ରେ ପ୍ରଥମ ଓ 17 ତାରିଖରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଚ୍ଯାନେଲକୁ ଭିଡିଓ କଲରେ ଦୁଇଟି ସାକ୍ଷାତକାର ମଧ୍ୟ ଦେଇଥିଲା । ଜେଲ ସେଲ ମଧ୍ୟରେ କୁଖ୍ୟାତ ଅପରାଧୀକୁ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ଯୋଗା ଯିବା ଓ ସେ ଏପରି କରିବାରେ ସଫଳ ହେବା ନେଇ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କିତ ଏକ ମାମଲା ପଞ୍ଜାବ-ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ।