ଚଣ୍ଡିଗଡ:ପଞ୍ଜାବ କଂଗ୍ରେସରେ ହାଇଭୋଲ୍ଟେଜ ଡ୍ରାମା । ହାତର ପଡୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ । ଦଳ ଛାଡୁନଥିଲେ ମଧ୍ୟ ପଦ ଛାଡୁଛନ୍ତି ଜଣକ ପରେ ଜଣେ ନେତା ମନ୍ତ୍ରୀ । ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ରାଜନୀତିରେ ଆଶ୍ଚର୍ଯ୍ୟଜନକ ମ୍ୟାଚ୍ ଖେଳି ନିଜ ଦଳକୁ ହିଁ ଧରାଶାୟୀ କରିପକାଇଛନ୍ତି । କଂଗ୍ରେସରୁ ସିଦ୍ଧୁଙ୍କ ଇସ୍ତଫା ପରେ ଶକ୍ତିହୀନ ହେଉଛି ଦଳ । ଆଉ ଲାଗିଛି ଇସ୍ତଫାର ଲାଇନ ।
କଂଗ୍ରେସ କନ୍ଦଳ ମଝିରେ ପଞ୍ଜାବ ରାଜନୈତିକ ଆକାଶରେ ଘୋଟିଆସିଛି ସଙ୍କଟର କଳାବାଦଲ । ମଙ୍ଗଳବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇସ୍ତଫା ଦେଇଥିଲେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଆଉ ଏହାପରେ ସିଦ୍ଧୁଙ୍କ ସମର୍ଥନରେ ଜଣେ ପରେ ଜଣେ ନେତା ଓ ମନ୍ତ୍ରୀ ଦେବାରେ ଲାଗିଛନ୍ତି ଇସ୍ତଫା ।
ନବଜୋତ ସିଂ ସିଦ୍ଧୁଙ୍କ ପରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ଆଇପିଏସ ଇଧିକାରୀ ମହମ୍ମଦ ମୁସ୍ତଫାଙ୍କ ପତ୍ନୀ ହେଉଛନ୍ତି ରଜିଆ । ମହମ୍ମଦ ମୁସ୍ତଫା ସିଦ୍ଧଙ୍କ ପରାମର୍ଶଦାତା । ଇସ୍ତଫା ପରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଜିଆ । ରଜିଆ ସୁଲତାନାଙ୍କ ପରେ ପଞ୍ଜାବର ଖେଳ, ଶିକ୍ଷା ଓ ଯୁବବ୍ୟାପାର ମନ୍ତ୍ରୀ ପରଗଟ ସିଂହଙ୍କ ଇସ୍ତଫା ସାମ୍ନାକୁ ଆସିଛି । ସେ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ପଞ୍ଜାବ କଂଗ୍ରେସର ମହାସଚିବ ଯୋଗିନ୍ଦର ଢିଙ୍ଗରା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ ସିଦ୍ଧୁଙ୍କୁ ସମର୍ଥନ ଜଣାଇଛନ୍ତି ।