ନୂଆଦିଲ୍ଲୀ:ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ ପଞ୍ଜାବ ପାଇଁ ୫୦ ହଜାର କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାନଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ସନ୍ଧ୍ୟାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ରହିଛି ।
ମାନ କହିଛନ୍ତି, ବର୍ତ୍ତମାନ ପଞ୍ଜାବର ଅର୍ଥନୈତିକ ସ୍ଥିତି ଭଲ ନାହିଁ । ପଞ୍ଜାବ ଏକ ସୀମାନ୍ତବର୍ତ୍ତୀ ରାଜ୍ୟ ହୋଇଥିବା ଯୋଗୁ ସୁରକ୍ଷା ମଧ୍ଯ ଏକ ବଡ ପ୍ରସଙ୍ଗ । ତେଣୁ ସୁରକ୍ଷାରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସହଯୋଗ ଚାହେଁ । ସେହିପରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଞ୍ଜାବରେ ଆଗାମୀ ଦୁଇ ବର୍ଷରେ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରକୁ ୫୦ ହଜାର କୋଟି ଟଙ୍କାର ସହାୟତା ପ୍ଯାକେଜ ମଧ୍ୟ ଦାବି କରିଛନ୍ତି ମାନ ।