ହାଇଦ୍ରାବାଦ:ପୁଲଓ୍ବାମା ଆକ୍ରମଣ ନେଇ ବିଜେପି ସରକାର ବିରୋଧରେ ପୁଣି ବଡ ବୟାନ ଦେଇଛନ୍ତି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପୂର୍ବତନ କାଶ୍ମୀର ଉପରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଲଓ୍ବାମାରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ହୋଇଥିଲା । ସେ ସେତେବେଳେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଥିଲେ । ସେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଯବାନଙ୍କ ପାଇଁ ବିମାନ ଯୋଗାଇବା ପାଇଁ ନିବେଦନ କରିଥିଲେ । ହେଲେ ରାଜନାଥ ବିମାନ ଯୋଗାଇବା ପାଇଁ ମନା କରିଦେଇଥିବା ସତ୍ୟପାଲ ଅଭିଯୋଗ କରିଛନ୍ତି । ଆଜି 2024 ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ, ବିଭିନ୍ନ ପ୍ରସଙ୍ଗ ଉପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସତ୍ୟପାଲ ମଲ୍ଲିକ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ।
ଏୟାର ଲିଫ୍ଟ ପାଇଁ ରାଜନାଥଙ୍କୁ କରାଯାଇଥିଲା ନିବେଦନ:-ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତାକାରେ ମଲ୍ଲିକ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ଘଟଣା ଗୁଇନ୍ଦା ବିଭାଗ ଫେଲ ମାରିବା କାରଣରୁ ଘଟିଲା । ଘାଟିରେ ସେତେବେଳେ ଆକ୍ରମଣ ହେବାର ଆଶଙ୍କା ମଧ୍ୟ ଥିଲା । ସେଥିପାଇଁ ସିଆରପିଏଫ ଯବାନଙ୍କୁ ଶ୍ରୀନଗର ଏୟାରଲିଫ୍ଟ କରିବାକୁ ଗୃହ ମନ୍ତ୍ରଣାଳୟକୁ ଅବଗତ ମଧ୍ୟ କରାଯାଇଥିଲ । ହେଲେ ଏୟାର ଲିଫ୍ଟକୁ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇନଥିଲେ ।
ଯେଉଁ ଏରିଆରେ ଆକ୍ରମଣ ହେଲା, ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଥିଲା । ସେଥିପାଇଁ କେହି ଦାୟୀ ବୋଲି ଦର୍ଶାଗଲା ନାହିଁ । ରାଜନାଥ ଓ ତାଙ୍କ ମନ୍ତ୍ରଣାଳୟର କେହି ଅଧିକାରୀଙ୍କୁ ଉତ୍ତରଦାୟୀ କରାଗଲା ନାହିଁ ବରଂ ଏହି ପ୍ରସଙ୍ଗରେ ନିଜ ତ୍ରୁଟି ଲଚାଇବାର ପ୍ରୟାସ କରାଗଲା । ଏହାକୁ ପାକିସ୍ତାନ ସହ ସମ୍ପୃକ୍ତ ମୁଦ୍ଦା ବୋଲି ପ୍ରଚାର କରାଯାଇ ଭିନ୍ନ ମୋଡ ଦିଆଗଲା । ପରେ ବିଜେପି ନିର୍ବାଚନ ମଧ୍ୟ ଜିତିଲା ବୋଲି ସତ୍ୟପାଲ କହିଛନ୍ତି ।
ଆଦାନୀ ପ୍ରସଙ୍ଗ ବିଜେପି ପାଇଁ ନିର୍ବାଚନୀ ସମସ୍ୟା ସୃଷ୍ଟି କରିପାରେ:-ସେହିପରି ସେ ଆଦମୀ ଷ୍ଟକକ୍ରାସ ପ୍ରସଙ୍ଗରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । 2024 ସାଧାରଣ ନିର୍ବାଚନରେ ବିଜେପି ଏହାକୁ ନେଇ କଠିନ ପରିସ୍ଥିତି ସାମ୍ନା କରିବ । ପ୍ରଧାନମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି । ଲୋକେ ସବୁ ବୁଝିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି ଏହି ପ୍ରସଙ୍ଗକୁ ନେଇ ସମସ୍ୟାର ସାମ୍ନା କରିପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।