କୋଲକାତା:କୋରୋନା ସଂକ୍ରମଣରେ ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ପ୍ରଚାର। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ପ୍ରଚାର ପ୍ରସାର। ଦେଶରେ କୋରୋନା ସ୍ଥିତି ସାଙ୍ଘାତିକ ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ରାଲିରୁ ଓହରିଛନ୍ତି । ଅନ୍ୟପଟେ ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା କରିବେ ତୋଫାନୀ ପ୍ରଚାର ।
ସଂକ୍ରମଣ ସମୟରେ ଆଜି ବି ପଶ୍ଚିମବଙ୍ଗରେ ପ୍ରଚାର କରିବେ ନଡ୍ଡା ବିଜେପି ବେଙ୍ଗଲ ଦଖଲ ନାରା ଦେଇ ନଡ୍ଡା ଦୁଇଟି ରୋଡ ଶୋ’ ଗୋଟିଏ ଜନସଭା ଓ ଏକ ବୈଠକ କରିବେ । ମଧ୍ୟାହ୍ନ 12 ଟା 45ରେ ଉତ୍ତର ଦିନାଜପୁରରେ ରୋଡ ଶୋ’କରିବେ ନଡ୍ଡା । ଏହା ପରେ, ବୀରଭୂମିରେ ତିନୋଟି କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଅପରାହ୍ନ 3ଟାରେ ରୋଡ ଶୋ ’ କରିବେ । 4.30 ସମୟରେ ଜନସଭାକୁ ସମ୍ବୋଧିତ କରିବା ପରେ ସଂନ୍ଧ୍ୟା 6ଟାରେ ବିଜେପିର ବୈଠକ ଅନୁଷ୍ଠିତ ହେବ ।
ପୂର୍ବରୁ ନଡ୍ଡା ବେଙ୍ଗଲରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟାର୍ଗେଟ କରି ଆସିଛନ୍ତି । ସମ୍ବିଧାନକୁ ସୁରକ୍ଷା ଦେବାରେ ଦିଦି ବିଫଳ କହି ସମାଲୋଚନା କରିଥିଲେ ନଡ୍ଡା । ରାଜ୍ୟରେ ଦୁଷ୍କର୍ମ, ଏସଡି ଆଟାକ୍, ଘରୋଇ ହିଂସା ଅଧିକ ରହିଛି । କେନ୍ଦ୍ରସରକାରଙ୍କୁ ମଧ୍ୟ ଅପରାଧିକ ମାମଲାର ରିପୋର୍ଟ ନ ଦେବାକୁ କାରଣ ଅସ୍ପଷ୍ଟ ରହିଛି ବୋଲି ନଡ୍ଡା କହିଥିଲେ।
ସୂଚନାଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣ ପ୍ରକୋପ ବଢିବାରେ ଲାଗିଛି । ଦୈନିକ ଅଢେଇ ଲକ୍ଷ ସଂକ୍ରମିତ ହେଉଛନ୍ତି । ହାଜର ହଜାର ସଂଖ୍ୟକ ଆକ୍ରାନ୍ତଙ୍କ ଜୀବନ ନେଉଛି ଭାଇରସ । ଏପରି ସ୍ଥିତିରେ ବେଙ୍ଗଲରେ କୌଣସି ପ୍ରକାରର ରାଲି କିମ୍ବା ଜନସଭା କରିବାକୁ ମନା କରିଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମସ୍ତ ନିର୍ବାଚନୀ ପ୍ରଚାରକୁ ରଦ୍ଦ କରିଦେଇଛନ୍ତି । ଗତକାଲି ମଧ୍ୟ ଜେପି ନଡ୍ଡା ଓ ଅମିତ ଶାହ ନିର୍ବାଚନୀ ରାଲି କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ