ନୂଆଦିଲ୍ଲୀ:ନିକଟରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ କଡା ସମାଲୋଚନା କରିଥିବା ପୂର୍ବତନ ବିଶିଷ୍ଟ କ୍ରୀଡାବିତ ତଥା ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷା ପି.ଟି ଉଷା ଆଜି କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଞ୍ଚିଛନ୍ତି । ସେ ସେଠାରେ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି । ନିକଟରେ ଉଷା ଏହି ଧାରଣାକୁ କଡା ସମାଲୋଚନା କରିଥିଲେ । କୁସ୍ତିଯୋଦ୍ଧାମାନଙ୍କ ଏପରି ଧାରଣା ଦେଶର ଛବି ଖରାପ କରୁଛି ଓ ତଦନ୍ତ ଜାରି ରହିଥିଲେ ସୁଦ୍ଧା ସେମାନେ ଅନୁଶାସନହୀନ ପରି କାର୍ଯ୍ୟ କରୁଛନ୍ତି ବୋଲି ଉଷା କହିଥିଲେ । ଯାହାକୁ ନେଇ ଆନ୍ଦୋଳନରତ ଆଥଲେଟ ଓ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ସମାଲୋଚନା କରିଥିଲେ ।
ଆଜିି ଉଷାଙ୍କ ଆଲୋଚନା ସମ୍ପର୍କରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି,‘‘ଉଷା ଆମମାନଙ୍କ ସହ ଆଲୋଚନା କଲେ । ପ୍ରଥମେ ସେ ଜଣେ କ୍ରୀଡାବିତ ଓ ପରେ ଜଣେ କ୍ରୀଡା ପ୍ରାଶାସିକା । ସେ ଆମକୁ ସମର୍ଥନ ଜଣାଇଲେ ଓ ସେ ଆମ ସହିତ ଅଛନ୍ତି । ସେ ଆମର ସମସ୍ୟା ସମାଧାନ କରିବା ଓ ନ୍ୟାୟ ମିଳିବା ଦିଗରେ ସହଯୋଗ ମଧ୍ୟ କରିବେ ।’’