ମୁମ୍ବାଇ: ମହାରାଷ୍ଟ୍ରର ନାସିକ ମହାନଗର ନିଗମରେ ସ୍ବାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଶଯ୍ୟା ଅଭାବରୁ ସ୍ଥାନୀୟ ବିଟକୋ ହସ୍ପିଟାଲରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ହସ୍ପିଟାଲରେ ଶଯ୍ୟା ନ ମିଳିବାରୁ ଗୁରୁତର ଆକ୍ରାନ୍ତଙ୍କୁ ଧରି ଆନ୍ଦୋଳନ କରିଥିବା ସାମାଜିକ କର୍ମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ମୁତାବକ ରାଜ୍ୟର ସିଡକୋ ଅଞ୍ଚଳର କାମତୱାଡାଠାରେ ରହୁଥିବା 2 ଜଣ କୋରୋନା ଆକ୍ରାନ୍ତ ଗୁରୁତର ଅବସ୍ଥାରେ ନାସିକ ହସ୍ପିଟାଲକୁ ଆସିଥିଲେ । ତେବେ ସେଠାରେ ସେମାନଙ୍କୁ ଚିକିତ୍ସା ପାଇଁ ଶଯ୍ୟା ନ ମିଳିବାରୁ ସାମାଜିକ କର୍ମୀ ଦୀପକ ଡୋକ ନାସିକ ମୁନିସିପାଲ ହେଡକ୍ବାର୍ଟର ସମ୍ମୁଖରେ କୋରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ସିଲିଣ୍ଡର ଲଗାଇ ଆନ୍ଦୋଳନ କରିଥିଲେ ।