ଓଡିଶା

odisha

Agnipath scheme protest: ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ, ପୋଲିସ ଗୁଳିରେ ଜଣେ ମୃତ

ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ଚୁକ୍ତିଭିତ୍ତିକ ଅଗ୍ନିପଥ ଯୋଜନା ନେଇ ତେଜୁଛି ବିବାଦ । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

By

Published : Jun 17, 2022, 1:52 PM IST

Published : Jun 17, 2022, 1:52 PM IST

Updated : Jun 17, 2022, 11:05 PM IST

ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ ଜଳୁଛି ଟ୍ରେନ
ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ ଜଳୁଛି ଟ୍ରେନ, ପୋଲିସ ଗୁଳିରେବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ ଜଳୁଛି ଟ୍ରେନ, ପୋଲିସ ଗୁଳିରେ ଜଣେ ମୃତ ଜଣେ ମୃତ

ନୂଆଦିଲ୍ଲୀ: ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ ଚୁ୍କ୍ତିଭିତ୍ତିକ ଅଗ୍ନିପଥ ଯୋଜନା ପାଇଁ ତେଜୁଛି ବିବାଦ । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ। ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ସହ ଟ୍ରେନରେ ନିଆଁ ଲଗାଇଛନ୍ତି ବିକ୍ଷୋଭକାରୀ । ବିହାରରେ ଗୋଟିଏ ଟ୍ରେନରେ 10ଟି ବଗିରେ ନିଆଁ ଲଗାଇଦିଆଯାଛି । ତେଲେଙ୍ଗାନା ସିକନ୍ଦରାବାଦ ଷ୍ଟେସନରେ ଜଳିଛି ଟ୍ରେନ । ଏହା ସହ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି । 15 ଜଣ ଆହତ ହୋଇଛନ୍ତି ।

Agnipath scheme protest: ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ, ପୋଲିସ ଗୁଳିରେ ଜଣେ ମୃତ

ବିହାରରେ ଜଳିଲା 10 ବଗି

ବିହାରରେ ଅଗ୍ନିପଥକୁ ବିରୋଧ କରି ତୃତୀୟ ଦିନରେ ପହଞ୍ଚିଛି ବିକ୍ଷୋଭ । 19 ଜିଲ୍ଲାରେ ପ୍ରଦର୍ଶନ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ହିଂସାତ୍ମକ ରୂପ ନେଇଛି ବିକ୍ଷୋଭ । ଲାଖିସରାଇରେ ଟ୍ରେନର 10ଟି ବଗିରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ହାଜିପୁର ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ବେତିଆରେ ମଧ୍ୟ ଭଙ୍ଗାରୁଜା ହୋଇଛି । ବସ୍କରରେ ରେଳ ଧାରଣା ଉପରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସାମସ୍ତିପୁରରେ ଜମ୍ମୁତବି-ଗୌହାଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ । ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଛି । ଆରାର ବିହିୟା ଷ୍ଟେସନରେ ଅଗ୍ନିକାଣ୍ଡ ଓ ବ୍ୟାପକ ଭଙ୍ଗାରୁଜା ହୋଇଛି । ବେଟିୟାସ୍ଥିତ ଜୈସୱାଲଙ୍କ ବାସଭବନରେ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରୁଥିବା ଆନ୍ଦୋଳନକାରୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ ଜଳୁଛି ଟ୍ରେନ

ତେଲେଙ୍ଗାନାରେ ଜଣେ ବିକ୍ଷୋଭକାରୀଙ୍କ ମୃ୍ତ୍ୟୁ

ତେଲେଙ୍ଗାନାରେ ମଧ୍ୟ ବ୍ୟାପିଛି ଅଗ୍ନିପଥ ନିଆଁ । ସିକନ୍ଦରାବାଦ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ (Agnipath Scheme Protest in Secunderabad)। ହାଇଦ୍ରାବାଦରୁ କୋଲକାତା ଯିବାକୁ ଥିବା ଇଷ୍ଟ କୋଷ୍ଟ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ଫଳରେ 15ରୁ ଅଧିକ ଆହତ ହୋଇଥିବାବେଳେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି । 8ଜଣ ଲୋକଙ୍କୁ ଗୁଳି ଲାଗିଛି ।

ମୃତକ ଜଣକ ହେଉଛନ୍ତି ୱାରଙ୍ଗଲ ଜିଲ୍ଲା ଖାନପୁରମ ମଣ୍ଡଳ ଦାବିର ପେଟା ଗ୍ରାମର ଦାମୋଦର ରାକେଶ (୨୩) ବୋଲି ଜଣାପଡ଼ିଛି । ସେ ଗରିବ ପରିବାରର ହୋଇଥିବା ବେଳେ ପିତାମାତା ଓ ୨ ଭଉଣୀଙ୍କ ସହ ରହୁଥିଲେ । ଏବେ ରାକେଶ ହନୁମାକୋଣ୍ଡା ସହରରେ ଅଧ୍ୟୟନ କରୁଥିଲେ । ସେ ଗତ ୬ ମାସ ପୂର୍ବରୁ ଭାରତୀୟ ସେନା ନିଯୁକ୍ତିର ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ଲିଖିତ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ । ଗତ ଗୁରୁବାର ସେ ହାଇଦ୍ରାବାଦ ଆସିଥିଲେ । ହେଲେ ଆଜି ସିକନ୍ଦରାବାଦ ରେଲୱେ ଷ୍ଟେସନେର ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ଘଟିଛି ।

ବିଭିନ୍ନ ରାଜ୍ୟକୁ ବ୍ୟାପୁଛି ବିକ୍ଷୋଭ ଜଳୁଛି ଟ୍ରେନ

ୟୁପି ବଲିୟାରେ ଜଳିଲା ଟ୍ରେନ

ଉତ୍ତରପ୍ରଦେଶରେ ବି ପହଞ୍ଚିଛି ଅଗ୍ନିପଥ ନିଆଁ । ୟୁପି ବଲିୟା ଷ୍ଟେସନରେ ରହିଥିବା ଏକ ଟ୍ରେନରେ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ସହରର ଅନେକ ଦୋକାନରେ ବି ଭଙ୍ଗାରୁଜା କରିଛନ୍ତି । ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଫିରୋଜାବାଦ ମଟସେନା ଅଞ୍ଚଳରେ କିଛି ଯୁବକ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସରେ ହଙ୍ଗାମା କରିଛନ୍ତି । ୟୁପି ରୋୱେଜରେ କେତେକ ବସ ଭଙ୍ଗାରୁଜା କରିଛନ୍ତି । ବିକ୍ଷୋଭକାରୀମାନେ ୟୁପି ସଡ଼କ ସେବାର ଅନେକ ରାଜ୍ୟ ବସକୁ ପଥର ଫିଙ୍ଗିଥିଲେ । ଫଳରେ ବସଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ଉତ୍ତରାଖଣ୍ଡରେ ଟିକୋନିଆ ଛକକୁ ଅବରୋଧ

ଏହି ସମୟରେ, ଉତ୍ତରାଖଣ୍ଡର ହାଲଡୱାନିରେ ଯୁବକମାନେ ଶୁକ୍ରବାର ସକାଳେ ରାମଲିଲା ମୈଦାନରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏଠାରେ ସେମାନେ ପ୍ରତିରକ୍ଷା ମନ୍ତ୍ରୀ (ରାଷ୍ଟ୍ର) ଅଜୟ ଭଟ୍ଟଙ୍କ ବାସଭବନ ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ । ତେବେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସେମାନଙ୍କୁ ଅଟକ ରଖିଥିଲା । ବିକ୍ଷୋଭକାରୀମାନେ ଅଳ୍ପ ସମୟ ପାଇଁ ଟିକୋନିଆ ଛକକୁ ମଧ୍ୟ ଅବରୋଧ କରିଥିଲେ ।

ଝାଡଖଣ୍ଡରେ ରେଳ ଧାରଣା ଜାମ

ଝାଡଖଣ୍ଡିରେ ବି ବ୍ୟାପିଛି ନିଆଁ । ପାଲାମୁରେ ଯୁବକମାନେ ଡାଲଟଙ୍ଗଞ୍ଜ ରେଳ ଷ୍ଟେସନରେ ରେଳ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ଦେଇଥିଲେ । ଏହାପୂର୍ବରୁ ବିକ୍ଷୋଭକାରୀମାନେ ଜାତୀୟ ରାଜପଥ 75କୁ ଅବରୋଧ କରିଥିଲେ । ଜାତୀୟ ରାଜପଥ ପରେ ରେଲୱେ ଟ୍ରାକରେ ବସିଥିଲେ । ଲାଠି ଚାର୍ଜ କରି ପୋଲିସ ପ୍ରଦର୍ଶନକାରୀଙ୍କୁ ଟ୍ରାକରୁ ହଟାଇ ଦେଇଥିଲା ।

ଓଡ଼ିଶାରେ ବି ବ୍ୟାପିଲା ଅଗ୍ନିପଥ ନିଆଁ

ଓଡିଶାକୁ ମଧ୍ୟ ଏହି ବିରୋଧର ନିଆଁ ବ୍ୟାପିଛି । ଯୋଜନାରେ ନିଯୁକ୍ତିକୁ ଓଡ଼ିଶାରେ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ । ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ ହୋଇଛି । ବିହାରରେ ବ୍ୟାପକ ଭଙ୍ଗରୁଜା ବିକ୍ଷୋଭ ପ୍ରଦର୍ଶନ ପରେ ଅଗ୍ନିପଥ ଯୋଜନାରେ ନିୟମରେ ପରିବର୍ତ୍ତନ ହୋଇଥିଲା । ଆବେଦନ ପାଇଁ ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି । ହେଲେ ଏହି ପରିବର୍ତ୍ତନ ନିଯୁକ୍ତି ଆଶାୟୀଙ୍କୁ ଆଶ୍ବସ୍ତ କରିପାରିନି ।

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଗ୍ନିପଥ ଯୋଜନା ନିଯୁକ୍ତି ପାଇଁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବନ୍ଧୁଙ୍କ ବ୍ୟତୀତ ଆଉ କିଛି ଶୁଣାଯାଉନାହିଁ । ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ରାହୁଲ ।

କଣ ଅଗ୍ନିପଥ ଯୋଜନା

ଏହି ଯୋଜନାରେ ଅଗ୍ନିବୀର ଭାବେ 4 ବର୍ଷ ପାଇଁ ଦେଶ ସେବା ପାଇଁ ସୁଯୋଗ ମିଳିବ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତି ସୁଯୋଗ ରହିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି ।

4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ 17.5ରୁ 23 ବର୍ଷ ରଖାଯାଇଛି । ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ 4 ବର୍ଷ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ବିଭିନ୍ନ ରାଜ୍ୟରେ ଆଶନ୍ତି ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଖୁବଶୀଘ୍ର ଭର୍ତ୍ତି ତାଲିକା ଆରମ୍ଭ ହେବ ଯୁବକମାନଙ୍କୁ ସେନାରେ ଭର୍ତ୍ତି ନେଇ ପ୍ରସ୍ତୁତି କରିବାକୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

Last Updated : Jun 17, 2022, 11:05 PM IST

ABOUT THE AUTHOR

...view details