ବେଙ୍ଗାଲୁୁରୁ:କର୍ଣ୍ଣାଟକରେ ଦଳ ପାଇଁ ପ୍ରଚାର ଜାରି ରଖିଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ପୁଣି ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ୍ କରାଯିବା ନେଇ ଘୋଷଣା ସନ୍ଦିଗ୍ଧ ଆତଙ୍କୀ ସଂଗଠନ ପିଏଫଆଇର ବ୍ୟାନ ନିଷ୍ପତ୍ତିକୁ ବିରୋଧ କରିବା ସହ ସମାନ ବୋଲି କହିଛନ୍ତି ବିଶ୍ବଶର୍ମା । ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ପିଏଫଆଇ ସହ ତୂଳନା କରିବା ମଧ୍ୟ ଅନୁଚିତ ଓ ନିନ୍ଦନୀୟ ବୋଲି ବିଶ୍ବଶର୍ମା କହିଥିଲେ ।
ପୂର୍ବରୁ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କରିସାରିଥିବା ବିଶ୍ବଶର୍ମା ଆଜି ମାଙ୍ଗାଲୋରରେ ଏକ ପ୍ରେସ୍ମିଟ୍ କରିବା ଅବସରରେ ପୁଣି ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପ, ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିଲେ, ସେମାନଙ୍କ ସହ ବଜରଙ୍ଗ ଦଳକୁ ତୂଳନା କରାଯିବା ନିନ୍ଦନୀୟ । ପିଏଫଆଇକୁ ବ୍ୟାନ କରଗଲା, ସେଥିପାଇଁ କଂଗ୍ରେସ ବଜରଙ୍ଗ ଦଳକୁ ବ୍ୟାନ କରିବା କଥା ନିଜ ଇସ୍ତାହାରରେ ଘୋଷଣା କରିଛି । କଂଗ୍ରେସ ଯେଶାକୁ ତେଶା ନୀତି ଆପଣାଇବାକୁ ପ୍ରୟାସ କରୁଛି । କଂଗ୍ରେସର ଏପରି କରିବା ପିଏଫଆଇ ପ୍ରତି ସମର୍ଥନ ସଦୃଶ ।