ହାଇଦ୍ରାବାଦ: ଦିନ କେଇଟାରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ ୨୦୨୨ । ନୂଆ ଆଶା, ଉନ୍ମାଦନା ଓ ନୂତନ ସମ୍ଭାବନା ସହ ବିଶ୍ବବାସୀଙ୍କ ପାଇଁ ଓହ୍ଲାଇ ଆସିବ ନବବର୍ଷ ୨୦୨୩... । ବିଦାୟୀ ବର୍ଷ ୨୦୨୨ ରହିଥିଲା ଘଟଣାମୟ । ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । କର୍ପୋରେଟ ଜଗତ ବଡ ବଡ ଉପଲବ୍ଧି ହାସଲ କରିଛି । ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥନୀତି ହୋଇଛି ଭାରତ । ଦେଶରେ ଆରମ୍ଭ ହୋଇଛି ଡିଜିଟାଲ ମୁଦ୍ରା । ଡଲାର ତୁଳନାରେ ଟଙ୍କା ସର୍ବନିମ୍ନ ସ୍ତର ଛୁଇଁଛି । ଭାରତ ୫ଜି ଯୁଗରେ ପାଦ ଦେଇଛି । ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ । ପୁଞ୍ଜି ବଜାର କେବେ ଦୁର୍ଦ୍ଦିନ ଦେଖିଛି ତ କେତେବେଳେ ନିବେଶକଙ୍କୁ କରିଛି ମାଲମାଲ । ଏସବୁ ଭିତରେ କର୍ପୋରେଟ ଜଗତର ବହୁ ବଡ ବଡ ହସ୍ତୀ ଦୁନିଆକୁ ଅଲବିଦା କହିଛନ୍ତି । ଶେୟାର ମାର୍କେଟର ବିଗବୁଲ୍ ହୁଅନ୍ତୁ ଅବା ସାଇରସ୍ ମସ୍ତ୍ରୀ, ଏହିସବୁ ବିଶିଷ୍ଟ ଶିଳ୍ପପତିଙ୍କ ଦେହାନ୍ତ ଶିଳ୍ପ ଜଗତକୁ ସ୍ତବ୍ଧ କରିଦେଇଛି । ଆସନ୍ତୁ ନଜର ପକାଇବା ସେହି ଦିବଙ୍ଗତ ବିଶିଷ୍ଟ ବ୍ୟବସାୟୀଙ୍କୁ, ବର୍ଷ ୨୦୨୨ର ଆମର ସ୍ବତନ୍ତ୍ର ଉପସ୍ଥାପନାରେ
ରାକେଶ ଝୁନଝୁନୱାଲା(Rakesh Jhunjhunwala):
ଚଳିତ ବର୍ଷ ଭାରତୀୟ ପୁଞ୍ଜି ବଜାରର ବିଗ୍ବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ଶିଳ୍ପ ଜଗତ(Rakesh Jhunjhunwala Death) । ଅଗଷ୍ଟ ୧୪ ତାରିଖରେ ହୃଦଘାତରେ ଝୁନଝୁନୱାଲଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡିତ ଥିଲେ । ୧୯୮୫ରେ ନିଜର କଲେଜ ପାଠପଢା ସମୟରେ ମାତ୍ର ୫ ହଜାର ଟଙ୍କାରେ ଝୁନଝୁନୱାଲା ଶେୟାର ମାର୍କେଟରେ ପ୍ରବେଶ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ମୋଟ ସମ୍ପତ୍ତି ୫.୫ ବିଲିୟନ ଡଲାର ଥିଲା । ଭାରତର ସବୁଠୁ ବଡ ନିବେଶକ ଝୁନଝୁନୱାଲା ଆକାଶ ଏୟାରର ପ୍ରତିଷ୍ଠାତା ଥିଲେ । ଯାହାକି ଅଗଷ୍ଟ ୭ ତାରିଖରେ ପ୍ରଥମ ଉଡାଣ ଭରିଥିଲା । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଥିଲେ ।
ଏହାମଧ୍ୟ ପଢନ୍ତୁ: 2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ
ସାଇରସ୍ ମିସ୍ତ୍ରୀ (Cyrus mistry):
ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ତଥା TATA ସନ୍ସର ପୂର୍ବତନ ଅଧ୍ୟକ୍ଷ (former Tata Sons Chairman) ସାଇରସ୍ ମିସ୍ତ୍ରୀଙ୍କର ଚଳିତ ବର୍ଷ ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ । ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ତାଙ୍କର ଦୁର୍ଘଟଣା ଘଟିଥିଲା । ମିସ୍ତ୍ରୀଙ୍କ ମର୍ସିଜିଡ୍ କାର୍ ଏକ ରୋଡ ଡିଭାଇଡର ସହ ଧକ୍କା ହୋଇଥିଲା । ତାଙ୍କ ସହିତ କାର୍ରେ ୪ ଜଣ ଥିଲେ । ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀ ଓ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି କୋଟିପତି ବ୍ୟବସାୟୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।
ପାଲୋନଜୀ ମିସ୍ତ୍ରୀ (pallonji mistry):
ଶପୁରାଜୀ ପାଲୋନଜୀ ଗ୍ରୁପର(Shapoorji Pallonji) ଅଧ୍ୟକ୍ଷ ପାଲୋନଜୀ ମିସ୍ତ୍ରୀ ଚଳିତ ବର୍ଷ ଦୁନିଆ ଛାଡିଥିଲେ । ଜୁନ ୨୮ ତାରିଖରେ ତାଙ୍କର ନିଧନ ହୋଇଥିଲା । ସେ ଦେଶର ଜଣେ ଜଣାଶୁଣା କୋଟିପତି ଥିଲେ । ପୋଲୋନଜୀ ମିସ୍ତ୍ରୀ ଦେଶର ପ୍ରମୁଖ ବ୍ୟବସାୟିକ ଗ୍ରୁପ ଟାଟାର ସବୁଠୁ ବଡ ଶେୟାରଧାରକ ଥିଲେ । ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଆୟର୍ଲାଣ୍ଡର ଜଣେ ମହିଳାଙ୍କୁ ବିବାହ କରିବା ପରେ ୨୦୦୩ରେ ଭାରତର ନାଗରିକାତା ଛାଡି ଆୟର୍ଲାଣ୍ଡର ନାଗରିକତା ଗ୍ରହଣ କରିଥିଲେ । ଶପୁରାଜୀ ପୋଲୋନଜୀ ଗ୍ରୁପ ଦେଶ ବିଦେଶରେ ବ୍ୟବସାୟ ବିସ୍ତାର କରିଛି । ଏହି ଗ୍ରୁପ ମୁମ୍ବାଇ ସ୍ଥିତ ହୋଟେଲ ତାଜ ପ୍ୟାଲେସ ଓ ଆରବିଆଇ ବିଲ୍ଡିଂର ନିର୍ମାଣ କରିଥିଲା । ପୋଲୋନଜୀ ମିସ୍ତ୍ରୀ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପିତା ଥିଲେ ।