ଦିସପୁର:ଜୀବନ ହାରିଲେ ଆସାମର ବରିଷ୍ଠ ବିଜେପି ନେତ୍ରୀ । କିଷାନ ମୋର୍ଚ୍ଚାର ସମ୍ପାଦିକା ଥିବା 48 ବର୍ଷୀୟ ଇନ୍ଦ୍ରାଣୀ ତହବିଲଦାରଙ୍କ ମୃତଦେହ ଶୁକ୍ରବାର ରାତିରେ ତାଙ୍କ ଗୌହ୍ବାଟୀ ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି । ତେବେ ବିଜେପିର ଜଣେ ବରିଷ୍ଠ ନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପରେ ବିଜେପି ନେତ୍ରୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପଛରେ ଭାଇରାଲ ଫଟୋ କିମ୍ବା ଅନ୍ୟ କୌଣସି କାରଣ ଅଛି ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ, ଇନ୍ଦ୍ରାଣୀ ତହବିଲଦାର ଆସାମ ବିଜେପିର ଜଣେ ବରିଷ୍ଠ ନେତ୍ରୀ ଭାବରେ ପରିଚିତ ଥିଲେ । ଏହା ସହ ସେ ରାଜ୍ୟ କିଷାନ ମୋର୍ଚ୍ଚାର ସମ୍ପାଦିକା ଭାବରେ କାର୍ଯ୍ୟରତ ଥଲେ । ତେବେ କିଛିଦିନ ତଳେ ବିଜେପି ନେତ୍ରୀ ଇନ୍ଦ୍ରାଣୀଙ୍କ ସହ ଜଣେ ବରିଷ୍ଠ ବିଜେପି ନେତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲିଥିଲା । ଯାହାକୁ ନେଇ ବିଜେପି ନେତ୍ରୀ ଚିନ୍ତିତ ଥିଲେ । ତେବେ ଏଭଳି ପରିସ୍ଥିତିରେ ବିଜେପି ନେତ୍ରୀ ଜଣଙ୍କ ନିଜ ଜୀବନ ହାରିବା ପାଇଁ ଚରମ ନିଷ୍ପତ୍ତି ନେଇଥିବା ନେଇ ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ.....ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜୀବନ ହାରିଲେ ସିକ୍ୟୁରିଟି ଗାର୍ଡ୍
ତେବେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଗୌହ୍ବାଟୀ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ପଠାଇଛି । ସେପଟେ ଭାଇରାଲ ଫଟୋକୁ ନେଇ ମହିଳା ନେତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଏ ଫଟୋ ଭାଇରାଲ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଭାଇରାଲ କରିଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ ।