ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଲ୍ୟାଣ୍ଡ ଫର ଜବ (ଚାକିରି ବଦଳରେ ଜମି) ମାମଲାରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପୁଣି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଶୁକ୍ରବାର (22 ତାରିଖ) ପୁଅ ତେଜସ୍ବୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଥିବା ବେଳେ ଲାଲୁଙ୍କୁ 27 ତାରିଖରେ ହାଜର ହେବା ପାଇଁ ସମନରେ ଉଲ୍ଲେଖ ରହିଛି । ପୂର୍ବରୁ ଏହି ମାମଲାରେ ଉଭୟ ବେଲରେ ଅଛନ୍ତି ।
90 ଦଶକରେ ଲାଲୁ ରେଳମନ୍ତ୍ରୀ ଥିବା ସମୟରେ ରେଳବାଇରେ ନିଯୁକ୍ତି କ୍ଷେତ୍ରରେ ଏହି ବହୁଚର୍ଚ୍ଚିତ ଘୋଟାଲା ହୋଇଥିଲା । ଏହି ମାମଲାର ତଦନ୍ତ ଉଭୟ କେନ୍ଦ୍ରୀୟ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଜାରି ରହିଛି । ଅକ୍ଟୋବର ମାସରେ ଦିଲ୍ଲୀର ଏକ କୋର୍ଟ ଲାଲୁ ଯାଦବ, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପତ୍ନୀ ରାବିଡି ଦେବୀ ଓ ପୁଅ ତେଜସ୍ବୀ ଯାଦବଙ୍କୁ ବେଲ ପ୍ରଦାନ କରିଛନ୍ତି । ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଦ୍ବିତୀୟ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି । ତେବେ ଏବେ ଉଭୟ ଯାଦବ ବାପ-ପୁଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ସମନ ଜାରି କରିଛି । ଉଭୟ ଜେରା ପାଇଁ ହାଜର ହେବେ କି ସମନରୁ ଆଶ୍ବସ୍ତି ପାଇବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେବେ, ସେ ନେଇ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିନି ।
ଏହା ମଧ୍ୟ ପଢନ୍ତୁ: -ଖଲିସ୍ତାନୀ ଆତଙ୍କୀ ପନ୍ନୁ ହତ୍ୟା ମାମଲାରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି