ଭୋପାଲ:ଆଜି ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ଶେଷ ଦିନରେ ସମସ୍ତ ରାଜନୈତିକ ଦଳର ଭେଟେରାନ୍ ନେତାମାନେ ଯଥାସମ୍ଭବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି । ଏହି କ୍ରମରେ ଆଜି(ବୁଧବାର) କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଦାଟିଆରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ପାଇଁ ଭୋଟ ମାଗିବା ସହ ବିଜେପି ଉପରେ ଏକାଧିକ ପ୍ରସଙ୍ଗରେ ବର୍ଷିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ ଲୋକପ୍ରିୟତା ଓ ଜଣେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାମ କରିବାର ତରିକାକୁ ମନେ ପକାଇଛନ୍ତି ପ୍ରିୟଙ୍କା । ରାଜୀବ ଗାନ୍ଧୀଙ୍କ ଲୋକଙ୍କ ପ୍ରଧାନମନ୍ତ୍ରୀ ଥିଲେ, ଲୋକଙ୍କ ଠାରୁ ଗାଳି ମଧ୍ୟ ଶୁଣୁଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।
ପ୍ରିୟଙ୍କା, ରାଜୀବ ଗାନ୍ଧୀଙ୍କ କଥା ମନେ ପକାଇ ତାଙ୍କ ଗୃହ ସଂସଦୀୟ କ୍ଷେତ୍ର ଆମେଠୀର ଉଦାହରଣ ଦେଇଥିଲେ । କହିଥିଲେ, ରାଜୀବ ପ୍ରଧାନମନ୍ତ୍ରୀ ଥିବା ବେଳେ କାମ ନହୋପାରିଲେ ଲୋକେ ତାଙ୍କୁ ଗାଳି ଦେଉଥିଲେ । ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ନହେଲେ ଭୋଟ ମିଳିବନାହିଁ ବୋଲି ଚେତାବନୀ ମଧ୍ୟ ଦେଉଥିଲେ । ରାଜୀବ ଲୋକଙ୍କ ସମସ୍ୟା ଗ୍ରହଣ କରୁଥିଲେ । ତାକୁ ସମାଧନ ମଧ୍ୟ କରୁଥିଲେ । ଲୋକଙ୍କଠାରୁ ଏପରି ବ୍ୟବହାର ବେଳେ ରାଜୀବ କେବେ ନିଜକୁ ପ୍ରଧାନମନ୍ତ୍ରୀ କିମ୍ବା ବିଶିଷ୍ଟ ବ୍ୟକ୍ତିବିଶେଷ ବୋଲି ଭାବୁନଥିଲେ । ସେ ଲୋକଙ୍କ ପାଇଁ କାମ କରୁଥିଲେ ବୋଲି ପ୍ରିୟଙ୍କା କହିଥିଲେ । ଏହି ଉଦାହରଣ ସହ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଡା ସମାଲୋଚନା କରିଥିଲେ । ସିନ୍ଧିଆଙ୍କର ମହାରାଜ ଠାଣି ଏବେବି ଯାଇନି । ତାଙ୍କୁ ସାଧାରଣ ଲୋକେ ମହାରାଜ ବୋଲି ସମ୍ବୋଧନ ନକେଲେ, ତାଙ୍କୁ ବହୁତ କ୍ରୋଧ ଆସେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମଳୁଛି ବୋଲି ପ୍ରିୟଙ୍କା କହିଥିଲେ ।