ରାଞ୍ଚି: ତ୍ରିରଙ୍ଗାକୁ ଦେଶର ଗର୍ବ ଏବଂ ଗୌରବ କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଅପମାନ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଜାତୀୟ ପତାକା ଆମ ମାନ ସ୍ବାଭିମାନ ବୋଲି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଖୋଦ ଜଣେ ପ୍ରିନ୍ସିପାଲ ଏହାର ଅପମାନ କରିଥିବା ଖବର ସାମ୍ନାକୁ ଆସିଛି । ଏହା ଘଟଣା ଗୁରୁବାର ଦିନର ହୋଇଥିବା ବେଳେ ଶିକ୍ଷକ ଜଣକ ତ୍ରିରଙ୍ଗା ପତାକାକୁ ଚିରି ପିଲାମାନଙ୍କୁ ଟେବୁଲ ସଫା କରିବାକୁ ଦେଇଥିଲେ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଜାମସେଦପୁରରେ । ଅଭିଯୋଗ ପରେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୋଗ ଅନୁସାରେ, ଘାଟସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାର ଦିନ ସ୍କୁଲରେ ଛାତ୍ରଛାତ୍ରୀମାନେ ପହଞ୍ଚିଥିଲେ । ଏହାପରେ ସ୍କୁଲ ପ୍ରିନ୍ସିପାଲ ତ୍ରିରଙ୍ଗାକୁ ଚିରି ପିଲାମାନଙ୍କୁ ଟେବୁଲ ସଫା କରିବା ପାଇଁ ଖଣ୍ଡେ ଖଣ୍ଡେ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଜିଲ୍ଲା ପରିଷଦ ସଦସ୍ୟ କରଣ ସିଂଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ସ୍କୁଲରେ ପହଞ୍ଚି ପ୍ରତିବାଦ କରିଥିଲେ । ଏହାପରେ ଖବରପାଇ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।