ନୂଆଦିଲ୍ଲୀ:ସଂସଦରେ ଖାସ ନୀଳ ଜ୍ୟାକେଟ ପିନ୍ଧି ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦରେ ବଜେଟ ଅଧିବେଶନ ଜାରି ରହିଥିବା ବେଳେ ମୋଦିଙ୍କ ଏହି ଖାସ ଜ୍ୟାକେଟକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଏହି ଜ୍ୟାକେଟ ପୁନଃ ବ୍ୟବହାରଯୋଗ୍ୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବୋତଲରୁ ତିଆରି ହୋଇଛି । ସୋମବାର ବେଙ୍ଗାଲୁରୁରେ ଆୟୋଜିତ 'ଭାରତ ଶକ୍ତି ସପ୍ତାହ' କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଜ୍ୟାକେଟ ଉପହାରରେ ଦେଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିବା ଅବସରରେ ବୁଧବାର ମୋଦି ଏହି ଜ୍ୟାକେଟରେ ନଜର ଆସିଛନ୍ତି ।
ମୋଦିଙ୍କ ଏହି ନୀଳ ଜ୍ୟାକେଟକୁ ପ୍ରାୟ ୨୮ଟି ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ତିଆରି ହୋଇଛି । ଏହାକୁ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା ତିଆରି କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ୧୦କୋଟି ବୋତଲର ପୁନଃ ବ୍ୟବହାରକ୍ଷମ କରିବା ଲାଗି ଲକ୍ଷ୍ୟ ରଖିଛି । ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ବୋତଲରୁ ପ୍ରସ୍ତୁତ ପୋଷାକ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଜ୍ୟାକେଟ ଉପହାରରେ ଦିଆଯାଇଛି ତାହାର କପଡ଼ା ତାମିଲନାଡୁ କରୁରରୁ ଏକ କମ୍ପାନୀରେ ପ୍ରସ୍ତୁତ କରାଯାଇଛି ।